ଆଜି ଶେଷ ହେବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ,ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ
ପୁଣେ : ଆଜି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ। ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ନା ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ, ଏ ଯାଏଁ ଘୋଷଣା ହୋଇପାରିନି। ତେବେ ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ପୂର୍ବରୁ ସରକାର ଗଠନ ହେବା ନିୟମ ରହିଛି।
ଯଦି ଆଜି ସୁଦ୍ଧା ସରକାର ଗଠନ ନହୁଏ ତେବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ପଡିବ। ଏଭଳି ସ୍ଥିତିରେ ବିଜେପି ଏବଂ ମହାୟୁତି ମେଣ୍ଟରୁ ମୁଖ୍ୟମନ୍ତ୍ରୀ କିଏ ହେବ ନାଁ ଘୋଷଣା କରିବାକୁ ପଡିବ। ବିଜେପିର ଏକାକୀ ୧୩୨ ଆସନ ହାତେଇଥିବାବେଳେ ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି। ଏନସିପିର ଅଜିତ ପାୱାର ୪୧ ଆସନ ଜିତିଛନ୍ତି। ବିଜେପି ଅଧିକ ଆସନ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି।
ତେବେ ଦିଲ୍ଲୀ ହାଇକମାଣ୍ଡ ଅନ୍ତିମ ନିଷ୍ପତ୍ତି ନେବ। ବିହାର ମଡେଲରେ ଗଠନ ହୋଇପାରେ ମହାରାଷ୍ଟ୍ରରେ ସରକାର। ମୁଖ୍ୟମନ୍ତ୍ରୀଙ୍କ ସହ ରହିପାରନ୍ତି ଦୁଇ ଜଣ ମୁଖ୍ୟମନ୍ତ୍ରୀ। ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବ ବି ହ୍ରାସ ପାଇଛି ।