ବିଜେପିକୁ ଭୋଟ ନଦେବାରୁ ଗାଁରୁ ବାସନ୍ଦ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ବିଜେପିକୁ ଭୋଟ ନଦେବାରୁ ଗାଁରୁ ବାସନ୍ଦ ଅଭିଯୋଗ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ପାଳଶ୍ରୀ ଗାଁରେ ୪ ପରିବାରର ୨୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଗାଁର କିଛି ମୁଷ୍ଟିମୟ ବ୍ୟକ୍ତି ସେହି ଗାଁର ମନମୋହନ ପ୍ରଧାନଙ୍କ ସମେତ ଗାଁର ଅନ୍ୟ ୩ ପରିବାରକୁ ବିଜେପି ଦଳକୁ ଭୋଟ ଦେବା ନେଇ ଚାପ ପକାଇବା ସହ ବିଭିନ୍ନ ଧମକ ଚମକ୍ ଦେଇ ଆସୁଥିଲେ । କିନ୍ତୁ ସମସ୍ତେ ସେମାନଙ୍କ କଥାକୁ ଖାତିର ନକରି ନିଜ ପସନ୍ଦର ଦଳକୁ ଭୋଟ ଦେଇଥିଲେ । ପରେ ସେହି ଗାଁର କିଛି ଲୋକ ମିଶି ମନମୋହନଙ୍କ ସମେତ ଅନ୍ୟ ୩ ପରିବାରକୁ ଗାଁରୁ ବାସନ୍ଦ କରି ନିଆଁ, ପାଣି, ମନ୍ଦିର ବନ୍ଦ କରିବା ସହିତ ଘରକୁ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବିରୋଧ କରିଆସୁଥିବା ଅଭିଯୋଗ ହୋଇଛି । ଏନେଇ ମନମୋହନ ଦୀର୍ଘ ଦିନ ତଳେ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ମନମୋହନ ଅନ୍ୟ ପୀଡିତଙ୍କ ସହ ନିମାପଡ଼ା ତହସିଲ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଧାରଣା ସ୍ଥଳକୁ ତହସିଲଦାର ଆସିବା ପରେ ତାଙ୍କ ଗୋଡ଼ତଳେ ପଡ଼ି ତାଙ୍କୁ ନ୍ୟାୟ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ତହସିଲଦାର ଅଭିଯୋଗ ଗ୍ରହଣ କରିଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେପଟେ ନ୍ୟାୟ ନମିଳିଲେ ତହସିଲ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ମନମୋହନ।