ଓ୍ବାକଫ ବିଲକୁ ବିରୋଧ: ବିଜେଡି ସଂଖ୍ୟାଲଘୁ ସେଲର ବିକ୍ଷୋଭ
ଭୁବନେଶ୍ବର: କେନ୍ଦ୍ରର ଓ୍ବାକଫ ବିଲକୁ ବିଜେଡିର ବିରୋଧ । ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ, ଭଉଣୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କରାଯାଇଛି ବିକ୍ଷୋଭ । ରାଜଭବନ ନିକଟରେ ଧାରଣା ଦେଇଛି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ସଦସ୍ୟ ।
ସଂଖ୍ୟାଲଘୁ ସମ୍ପ୍ରଦାୟକ ଭାଇ, ଭଉଣୀଙ୍କ ହକ୍ ପାଇଁ ଦଳ ଲଢ଼େଇ ଜାରି ରଖିବ ବୋଲି ଚେତାବନୀ ଦେଇଛି ବିଜେଡି । ନୂଆ ୱାକଫ ବିଲ ଆସିଲେ, ଦେଶରେ ହିନ୍ଦୁ ମୁସଲିମ ଭିତରେ ବିଭେଦ ସୃଷ୍ଟି ହେବ ବୋଲି ଦଳ ଅଭିଯୋଗ କରିଛି ।
କେନ୍ଦ୍ର ସରକାର ଷଡଯନ୍ତ୍ର କରି ୱାକଫ ବିଲରେ ୪୪ଟି ସଂଶୋଧନ ଆଣିବାକୁ ଯାଉଛନ୍ତି । ଯାହା ସାମ୍ପ୍ରଦାୟିକ ହିଂସା ବଢ଼ାଇବାର ଆଶଙ୍କା ରଖିଛି । ୱାକଫ ସମ୍ପତ୍ତିକୁ ୨୦୧୩ରେ ତତ୍କାଳୀନ କେନ୍ଦ୍ର ସରକାର ସର୍ଭେ କରିବାକୁ କହିଥିଲେ । ହେଲେ ସରକାର ବଦଳିଲା ଓ ୧୧ ବର୍ଷ ହୋଇଗଲା କିନ୍ତୁ ସର୍ଭେ ହେଲାନି । ୨୦୧୩ରେ ନିୟମ ଥିଲା ଯେ ୱାକଫ ସମ୍ପତ୍ତିରୁ ଜବରଦଖଲ ହଟାଇବା କାମ ଜିଲ୍ଲାପାଳଙ୍କର । ଏପରି ନକଲେ ଦୈନିକ ୫୦୦ ଟଙ୍କା ଜରିମାନାର ପ୍ରାବଧାନ ଅଛି । ହେଲେ ନୂଆ ଆଇନ ଆସିଲେ, ଜିଲ୍ଲାପାଳ ୱାକଫ ସମ୍ପତ୍ତି ଘୋଷଣା କରିବେ । ଯାହାକି ଜମି ମାଫିଆଙ୍କୁ ସୁହାଇବ ବୋଲି ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିରାଟ ପାଟୁଆରରେ ବିଜେଡି ସଂଖ୍ୟାଲଘୁ ସେଲ ରାଲି କରି ରାଜଭବନ ନିକଟରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।