ଆସିଲା ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ASI ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ୪୫ ପୃଷା ସମ୍ୱଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ । ଭଣ୍ଡାରଘର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ କିଭଳି ବାଧା ନଉପୁଜିବ ସେନେଇ ଆଗାମୀ ଦିନରେ ଛତିଶା ନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯିବ । ଏଏସ୍ଆଇ ପକ୍ଷରୁ ଜିପିଆର ସର୍ଭେ  ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତାରେ କରାଯାଇଥିଲା ।  ରିପୋର୍ଟ ଆଧାରରେ ଏଏସଆଇକୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମରାମତି ପରେ ଭିତର ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ନିଆଯାଇ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତିମଣତି କରାଯିବ। ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟାକୁ ଡିଜିଟାଇଜେସନ କରାଯିବା ସହ ତମାମ୍ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ।