ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ଦଣ୍ଡାଧର ଡ୍ୟାମ

ନନ୍ଦିଘୋଷ ବ୍ୟୁରୋ: ପ୍ରକୃତିର କୋଳରେ ଅପରୂପ ସୌନ୍ଦର୍ଯ୍ୟରରେ ସଜାଇ ହୋଇଛି ଦଣ୍ଡାଧର ଡ୍ୟାମ । ପ୍ରାକୃତିକ ଶୋଭାରାଜି ମଧ୍ୟରେ ପରିବେଷ୍ଟିତ ପାହାଡ଼ ଜଙ୍ଗଲ ଘେରା ମନୋରମ ପର୍ଯ୍ୟଟନ ସ୍ଥଳୀ ହେଉଛି ଦଣ୍ଡାଧର । ପିକନିକ ଋତୁ ଆସିଲେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ।

ଦୁଇ ପଟେ ସବୁଜ ବନାନୀ । ମଝିରେ ଶୀତଳ ଜଳରାଶି । ଚାରିଆଡେ ନଦୀର କୁଳୁକୁଳୁ ନାଦ । ପକ୍ଷୀଙ୍କ କିଚିରିମିଚିରି ରାବରେ କୋଳାହାଳ ପରିବେଶ । ଅପରୁବ ପ୍ରାକୃତିକ ପରିବେଶରେ ଭରପୁର ଦଣ୍ଡାଧର ଡ୍ୟାମ। କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ଏହି ପ୍ରାକୃତିକ ସ୍ଥାନ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ । ସେଥିପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଆସିଲେ ଏଠାକୁ ଛୁଟିଥାଏ ପର୍ୟ୍ୟଟକଙ୍କ ସୁଅ । ବଣଭୋଜିର ମଜା ସାଙ୍ଗକୁ ବଣ, ଜଙ୍ଗଲ ଘେରା ପରିବେଶର ଅପରୁବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଛୁଟି ଆସନ୍ତି ପ୍ରକୃତିପ୍ରେମୀ  ଓ ପର୍ଯ୍ୟଟକ ।

ସରକାର ସମୟରେ ୨୦୨୦ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ  । ପର୍ୟ୍ୟଟକଙ୍କ ସୁବିଧା ନିମନ୍ତେ ସରକାରୀ ସହାୟତା ଓଡିଶା ପର୍ୟ୍ୟଟନ ନିଗମ ଆନୁକୂଲ୍ୟରେ ପିକନିକ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, ୮ଟି କଟେଜ, ଭୋଜନାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ,ଇତ୍ୟାଦି ନିର୍ମାଣ କରାଯାଇଛି । ହେଲେ ନିର୍ବାଚନ ପରେ ଏହି ବଣଭୋଜି ସ୍ଥଳକୁ ବ୍ଲକ କିମ୍ବା ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ । ଫଳରେ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦା ସରକାରଙ୍କୁ ଦାବି ଜଣାଇଛନ୍ତି ।