କାଟ ଖାଇଲା ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଗଜପତି: ଗୁମ୍ମା ବ୍ଲକର ବିଜେଡି ସମର୍ଥିତ ଅଧ୍ୟକ୍ଷା ସୁଲମି ମଣ୍ଡଳଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । କିଛି କୁଚକ୍ରୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବରେ ବ୍ଲକର ୨୦ ଜଣ ଲେଖାଏଁ ସିମିତିସଭ୍ୟ ଓ ସରପଞ୍ଚ ଏବଂ ବିଧାୟକ ଓ ସାଂସଦଙ୍କ ସହ ମୋଟ ୪୨ ଜଣ ମତଦାନ ଦେବାକୁ ଥିବା ବେଳେ ବହୁମତ ସଂଖ୍ୟା ଅନୁସାରେ ୨୮ ଜଣ ଆବଶ୍ୟକ ଥିଲା । ଆଜିର ମତଦାନ ଆରମ୍ଭ ସମୟରେ ମାତ୍ର ୧୪ ଜଣ ସମିତିସଭ୍ୟ ଉପସ୍ଥିତ ହୋଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମତଦାନ କେନ୍ଦ୍ରକୁ ଅନ୍ୟ କୌଣସି ସମିତିସଭ୍ର ଓ ସରପଞ୍ଚ ଆସି ନଥଲେ। ବ୍ଲକର କୌଣସି ସରପଞ୍ଚ ଏଥିରେ ଅଂଶଗ୍ରହଣ କରି ନଥିଲେ । ଫଳରେ ଅନାସ୍ଥା ପ୍ରସ୍ତାବ ଆଗତ ପଣ୍ଡ ହୋଇଥିଲା ।

ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ କେହି ଆସି ନଥିବା ବେଳେ ଅଧ୍ୟକ୍ଷାଙ୍କ ପୂର୍ବ ବହୁମତ ବଜାୟ ରହିଲା । ଫଳରେ ନିର୍ବାଚନ ଅଧିକାରୀ ଅଧ୍ୟକ୍ଷାଙ୍କ ପଦବୀ ବଳବତ୍ତର ରଖିଥିଲେ । ଅଧ୍ୟକ୍ଷାଙ୍କ ପଦବୀ ବଳବତ୍ତର ରହିଥିବାରୁ ବ୍ଲକର ସମସ୍ତ ବିଜେଡି କର୍ମୀ, ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଲମି ।

କିଛି କୁଚକ୍ରୀଙ୍କ ଉଦ୍ୟମରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ ହୋଇଥିଲା । ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ତାରିଖ ସ୍ଥିର ହୋଇଥିଲା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଧ୍ୟକ୍ଷା ସୁଲମି ମଣ୍ଡଳଙ୍କ ଆସନ ପୂର୍ବ ଭଳି ବଳବତ୍ତର ରହିଛି ।