ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ଆସି ରାଜଧାନୀରେ ସରକାରଙ୍କ ବିଫଳତାର ସତ ବଖାଣିଲେ କନ୍ଧମାଳର ଦୁଇ ଆଦିବାସୀ ମହିଳା
ଭୁବନେଶ୍ବର: ଚାଉଳ ପାଉନୁ, ଆମ୍ବ ଟାକୁଆ ଖାଉଛୁ । ଭୋକ ପାଇଁ ବିଷ ଖାଉଛୁ । ସରକାରଙ୍କୁ ଦୁଃଖ ଜଣାଉଛୁ, ଆମକୁ ବଞ୍ଚିବା ପାଇଁ ଚାଉଳ ଦିଅନ୍ତୁ । ଆମ୍ବ ଟାକୁଆ ଜାଉ ଖାଇ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ରାଜଧାନୀରେ କୋହଭରା କଣ୍ଠରେ ନିଜର ଦୁଃଖ ବଖାଣିଛନ୍ତି କନ୍ଧମାଳର ଦୁଇ ଆଦିବାସୀ ମହିଳା । ସରକାର ଚାଉଳ ତ ଦେଲେନି, କିନ୍ତୁ ଦୁଇ ଓଳି ତ ଖାଇବାକୁ ଦିଅନ୍ତୁ । ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ରାଜଧାନୀକୁ ଆସିଛନ୍ତି ମିତା ପ୍ରଧାନ ଏବଂ ସମୁଦୁଣି । ଅନ୍ୟପଟେ ଆମ୍ବ ଟାକୁଆ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି ଓ କଂଗ୍ରେସ । ସମସ୍ତଙ୍କୁ ରାସନ ଯୋଗାଇ ଦେବାକୁ ବିରୋଧୀ ଦାବି କରିଥିବା ବେଳେ, ବେଫିକର ହୋଇ ବୟାନ ଦେଉଛି ବିଜେପି ।
ଆଖିରେ ଲୁହ, ମନରେ କୋହ । ସରକାର ଦେଲେନି ଚାଉଳ । ଭୋକ ବିକଳରେ ପିଉଛୁ ବିଷ । ଏମିତି କୋହ ଭରା କଣ୍ଠରେ ନିଜର ଦୁଃଖ ଭରା କାହାଣୀ ବଖାଣିଛନ୍ତି ମିତା ପ୍ରଧାନ । ସରଳ ଆଦିବାସୀ ମିତା ମାଆଙ୍କ ଆଖିର ଲୁହ ଆଜି ରାଜଧାନୀରେ ରାଜ୍ୟ ସରକାରଙ୍କୁ ଉପହାସ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଖରେ ପହଞ୍ଚି ମିତା ଏବଂ ତାଙ୍କ ସମୁଦୁଣି ରାଜ୍ୟ ସରକାରଙ୍କୁ ଶୁଣାଇଛନ୍ତି ଯେ କିଭଳି ଭୋକର ବିକଳକୁ ପେଟରେ ମାରିବାକୁ ପଡୁଛି । ଭୋକ ହେଉଛି କିନ୍ତୁ ମିଳୁନି ଚାଉଳ । ଆମ୍ବ ଟାକୁଆ ଖାଇବୁନି ତ କ’ଣ ଖାଇବୁ । ମଲେ ମରିବୁ ପଛେ ଆମ୍ବ ଟାକୁଆ ଖାଇବୁ । ଏମିତି କହିଲା ବେଳେ, ଆଖିରୁ ଧାର ଧାର ହୋଇ ବୋହି ଯାଉଛି ଲୁହ । କୋହଭରା କଣ୍ଠରେ କନ୍ଧମାଳରୁ ଭୁବନେଶ୍ବରକୁ ଆସି ରାଜ୍ୟ ସରକାରଙ୍କୁ କାକୁତି ମିନତି ହୋଇଛନ୍ତି ଏହି ୫୫ ବର୍ଷିୟା ମିତା । ଚାଉଳ ମିଳି ନଥିବାରୁ କିପରି ବାଧ୍ୟ ହୋଇ ଆମ୍ବ ଟାକୁଆ ଜାଉ ଖାଉଛନ୍ତି ତାହାର ଟିକିନିଖି କାହାଣୀ ବଖାଣିଛନ୍ତି । ବଞ୍ଚିବା ପାଇଁ ରାଜ୍ୟ ସରକାର ଦୁଇ ଓଳି ଖାଦ୍ୟ ଯୋଗାଇବାକୁ ସେ ନିବେଦନ କରିଛନ୍ତି ।
ଖାଦ୍ୟ ପାଉ ନଥିବାରୁ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣଙ୍କ ଜୀବନ ଗଲା । ରାଜ୍ୟ ସରକାର ଘଟଣାକୁ ଘଣ୍ଟ ଘୋଡ଼ାଉଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସତ ବଖାଣିଛନ୍ତି ଏହି ଦୁଇ ଆଦିବାସୀ ମହିଳା । ନିରୀହ ଆଦିବାସୀଙ୍କ ମୁହଁରୁ ଏଭଳି ସାଂଘାତିକ ସତ ଶୁଣିବା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, ଆମ୍ବ ଟାକୁଆ ଖାଇ ଜୀବନ ଯିବା ବିଜେପି ସରକାରଙ୍କ ପାଇଁ ସତର୍କ ଘଣ୍ଟି । ସରକାର ତୁରନ୍ତ ଏ ଦିଗରେ ସଜାଗ ରୁହନ୍ତୁ । ସମସ୍ତଙ୍କୁ କିପରି ରାସନ ମିଳିବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେହିପରି କଂଗ୍ରେସ ମଧ୍ୟ ବିଜେପି ସରକାରକୁ ସମାଲୋଚନା କରିବା ସାଙ୍ଗକୁ ଆଦିବାସୀ ଓ ଗରିବଙ୍କୁ ୩୫ କେଜି ଚାଉଳ ଯୋଗାଇ ଦେବାକୁ ଦାବି କରିଛି । ହେଲେ ରାଜସ୍ବ ମନ୍ତ୍ରୀ ଏ ପ୍ରସଙ୍ଗକୁ ଏଡାଇ ଦେବା ସହ ମୃତ୍ୟୁ ହେବା ଦୁଃଖ ଦାୟକ ବୋଲି କହିଛନ୍ତି ।
ରାସନ ବ୍ୟବସ୍ଥା ଫେଲ ମାରିଥିବାରୁ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଉଲେ ଲୋକେ । ଯେଉଁଥି ପାଇଁ ଅକାଳେ ଚାଲିଗଲା ୩ ଜଣ ଆଦିବାସୀଙ୍କ ଜୀବନ । କିନ୍ତୁ ସରକାର ସବୁ ଜାଣି ବି ଚୁପ ହୋଇ ବସିଛନ୍ତି । ରାଜଧାନୀ ରାଜରାସ୍ତାରେ କନ୍ଧମାଳର ଦୁଇ ଆଦିବାସୀ ମହିଳା ଲୁହ ଭରା କଣ୍ଠରେ ସତ କଥା ବଖାଣି ସରକାରଙ୍କୁ କରାଇଛନ୍ତି ସତର୍କ । ଯାହା ରାଜ୍ୟ ରଜାନୀତିକୁ ହଲଚଲ କରିଛି ।