ଦୁଇ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଇଥିବା ହାର୍ଟ ଏମ୍ସରେ ହେଲା ପୁଣି ଆକ୍ଟିଭ୍

1 min read

ଭୁବନେଶ୍ବର: ଚିକିତ୍ସା ବିଜ୍ଞାନ ଓ ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଜଣେ ଯବାନଙ୍କୁ ଦେଲା ନୂଆ ଜୀବନ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଏମ୍ସ ଭୁବନେଶ୍ୱର ଡାକ୍ତର । ଦୁଇ ଘଣ୍ଟା ପରେ ପୁନଃ କାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଯବାନଙ୍କ ହୃଦୟ । ପୂର୍ବ ଭାରତରେ ଏଭଳି ଘଟଣା ପ୍ରଥମ ।

ନୟାଗଡ଼ ରଣପୁର ଅଞ୍ଚଳର ଯୁବକ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ବେଳେ ଅକ୍ଟୋବର ପହିଲାରେ ଏମ୍ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା । ଏମ୍ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ଜୀବନ ବଞ୍ଚାଇବା ପାଇଁ ୪୦ ମିନିଟର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରି ନଥିଲା । ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତ୍ତି ନିଆଯାଇଥାଏ । ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା । ତେବେ ଏମ୍ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ ।

ଏକମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ । ତେବେ ଇସିପିଆର ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା । ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକମୋରୁ ବାହାର କରାଯାଇଥିଲା ।

ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଓ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ କରିଥିବା ଡାକ୍ତରୀ ଦଳକୁ ପ୍ରଶଂସା କରିଛନ୍ତି । ସେପଟେ ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମାଆ ।