ସରକାରୀ ଜମିରେ ବୈକୁଣ୍ଠ ଧାମ ଆଶ୍ରମ !
ଭୁବନେଶ୍ବର: ସରକାରୀ ଜମିରେ ବୈକୁଣ୍ଠ ଧାମ ଆଶ୍ରମର ସାମ୍ରାଜ୍ୟ । ଜିଏ ବିଭାଗ ପକ୍ଷରୁ ମାପ ଚୁପ ପରେ ସାମ୍ନାକୁ ଆସିଲା ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ ଜାଗାରେ ଗଢ଼ି ଉଠିଛି ବୈକୁଣ୍ଠ ଧାମ ଆଶ୍ରମ । ସରକାରୀ ଜମିରେ ଆଶ୍ରମ ଗଢ଼ି ଉଠିଥିବା ନେଇ ଅଭିଯୋଗ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ମାପଚୁପ ।
ଆଶ୍ରମ ସରକାରୀ ଜମିରେ ଗଠି ଉଠିଛି ନା ନାହିଁ ଏହାର ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ବିଡିଏ, ଜିଏ ଓ ତହସିଲ ବିଭାଗରୁ ୮ ଜଣିଆ ଷ୍ଟାଫ ସରଜମିନ ଅନୁଧ୍ୟାନ କରିଥିଲେ । ଶେଷରେ ଆଶ୍ରମଟି ସରକାରୀ ଜମିରେ ଥିଲା ବୋଲି କହିଛି ଜିଏ ବିଭାଗ ।
ଅନ୍ୟପଟେ ଜଣେ ଯୁବତୀ ଆଶ୍ରମର ଆତ୍ମଘୋଷିତ ଭଗବାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବିରୋଧ ଜୋର ଧରିଛି । ଶତାଧିକ ସଂଖ୍ଯାରେ ମହିଳା ବିରୋଧ ପ୍ରଦର୍ଶନ କରିଛନ୍ତି । ଭଗବାନ ରୂପେ ପୂଜା ପାଉଥିବା ନାବାଳକ ଦାମୀ ଗାଡ଼ିରେ ଯୁବତୀଙ୍କୁ ଧରି ବୁଲନ୍ତି । ଲକ୍ଷେ ଟଙ୍କା ଦେଲେ ଅପୁତ୍ରିକ ନାରୀଙ୍କୁ ସନ୍ତାନ ପ୍ରାପ୍ତି ହୁଏ ବୋଲି କହିଥାନ୍ତି ବୋଲି ଅଭିଯୋଗ ହୋଇଛି ।
ସେପଟେ ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି । ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି । ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା । କିନ୍ତୁ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରେ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା । ନାବାଳକକୁ ଜଗନ୍ନାଥ କହି କଲକୀ ଅବତାର ରୂପ ଦେଇ ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ । ବିବାଦ ତେଜିବା ପରେ ଆତ୍ମ ଘୋଷିତ ଭଗବାନ କୁଆଡେ ଗାୟବ ହୋଇଯାଇଥିବା ଜଣାପଡ଼ିଛି ।