’ରାଣ୍ଡୀପୁଅ ଅନନ୍ତା’ ଲେଖାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମନୋଜ ମିଶ୍ରଙ୍କୁ ସବୁଆଡ଼େ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଆକ୍ଷେପ କରି ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ ସବୁଆଡ଼େ ନିନ୍ଦା। ବାଲେଶ୍ଵରର ସାହିତ୍ୟିକମାନେ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିବା ବ୍ୟାସକବିଙ୍କୁ ସଠିକ୍‌ ଭାବେ ଜାଣି ନାହାନ୍ତି ମନୋଜ । ଫକୀର ମୋହନଙ୍କର କାଳଜୟୀ ଉପନ୍ୟାସକୁ ନ ପଢି କେଉଁଠୁ ଶୁଣି ସାହିତ୍ୟ ସ୍ରଷ୍ଟାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଏକ ଅର୍ଦ୍ଧ ପାଗଳର ବିଳାପ। କଲିକତାରୁ ଶଗଡ଼ରେ ପ୍ରିଣ୍ଟଂ ମେସିନ୍‌ ଆଣି ଓଡ଼ିଆ ଭାଷା ଛାପିଥିଲେ ବ୍ୟାସକବି। ତାଙ୍କୁ କପି କହିବା ଅର୍ଥ, ଓଡ଼ିଆ ଭାଷା, ସାହିତ୍ୟ ଓ ଜାତିକୁ ଉପହାସ କରିବା। ତୁରନ୍ତ ଓଡ଼ିଶାବାସୀଙ୍କ ନିକଟରେ ମନୋଜ ନିସର୍ତ୍ତ କ୍ଷମା କରିବାକୁ ଦାବି କରାଯାଇଛି। ସେହିପରି କିଛି ସାହିତ୍ୟିକ କହିଛନ୍ତି, ଓଡ଼ିଆ ସାହିତ୍ୟ ଉପରେ ଏମିତି ବିବାଦୀୟ ବୟାନ ଦେଲେ ଏହାକୁ ଆଇନଗତ ଭାବେ ବିରୋଧ କରାଯିବ। ତାଙ୍କୁ ଓଡ଼ିଆ ଭାଷା ସାହିତ୍ୟର ଶତ୍ରୁ ଭାବେ ବିବେଚନା କରାଯିବ। ରାଣ୍ଡି ପୁଅ ଅନନ୍ତା ଗୋଟିଏ ଓଡ଼ିଆ ରୁଢ଼ି। ତେଣୁ ସିନେମାର ନାମ ପରିବର୍ତ୍ତନ କାହିଁକି ହେବ ବୋଲି ପ୍ରଶ୍ନ କରାଯାଇଛି। ସେ ସମୟର ସ୍ଥିତିକୁ ଅନୁଶୀଳନ କରି ଫକୀର ମୋହନ ଏହା ଲେଖିଥିଲେ। ଫକୀରମୋହନ ସେନାପତିଙ୍କୁ କେହି ଟେକା ଫିଙ୍ଗିଲେ ସେ ଟେକା ତାଙ୍କ ଉପରେ ପଡ଼ିବ ବୋଲି କହିଛନ୍ତି ବିଶିଷ୍ଟ ଲେଖକ। ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ଯଦି ସପ୍ତାହେ ଭିତରେ ମନୋଜ ମିଶ୍ର ତାଙ୍କର ଏହି ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତେବେ ତାଙ୍କ ବିରୋଧରେ କୋର୍ଟକୁ ଯିବା ସହିତ ଲେଖକମାନେ ପ୍ରତିବାଦ କରିବେ ବୋଲି କହିଛନ୍ତି ଗୌତମ ବୁଦ୍ଧ ଦାସ।