ଗଠନ ହୋଇନି ମ୍ଯାନେଜିଂ କମିଟି, ତଥାପି ବାହସ୍ଫୋଟ
ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ପାଇଁ କର୍ପସ ଫଣ୍ଡ । ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ । ଯାହା କିଛି ପ୍ରଶ୍ନ ଠିଆ କରିଛି । ପୂର୍ବରୁ ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏ ଦିଗରେ କର୍ପସ ଫଣ୍ଡର ବ୍ୟବସ୍ଥା କରିଥିଲେ । ଏଥରେ ନୂଆ କଣ ବୋଲି ବିଜେଡି ପ୍ରଶ୍ନ କରିଛି । ଅନ୍ୟ ଯୋଜନାର ନାଁ ଓ ରଙ୍ଗ ପରି ମହାପ୍ରଭୁଙ୍କ ନୀତିକାନ୍ତି ବଦଳିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ବିଜେଡି ଯୁକ୍ତି ବାଢିଛି । ଏଯାଏ ପୁରୀରେ ପଟ୍ଟା ପାଉନଥିବା ଲୋକଙ୍କ ଆଗ ପଟ୍ଟ ଦେବାକୁ ଦାବି କରିଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି କଂଗ୍ରେସ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ନେଇ ଚାଲିଛି ରାଜନୀତି। ରାଜ୍ଯ ସରକାରଙ୍କୁ ବିଜେଡିର ଟାର୍ଗେଟ। ଏ ଯାଏ ଶ୍ରୀଜଗନ୍ନାଥଙ୍କ ମ୍ୟାନେଜିଂ କମିଟି ଗଠନ ହୋଇନି । ହେଲେ ମହାପ୍ରଭୁଙ୍କ ଜମିକୁ ଜବରଦଖଲ ମୁକ୍ତ କରିବାକୁ ରାଜ୍ୟ ସରକାର ବାହସ୍ଫୋଟ ମାରୁଛନ୍ତି । ନୀତିକାନ୍ତି ଭଲ ଭାବେ କରିବାକୁ ୮ ହଜାରରୁ ୧୦ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ କରିବା କଥା ଉଠାଇଛନ୍ତି ରାଜ୍ୟ ସରକାର ।
ହେଲେ ନବୀନ ପଟ୍ଟନାୟକ ସରକାର ସମୟରେ ତ କର୍ପସ ଫଣ୍ଡ ହୋଇ କାମ ଠିକ୍ ଚାଲିଥିଲା । ନୀତିକାନ୍ତି ତ ଚାଲିଛି, ବନ୍ଦ ହୋଇନି । ବୋଧେ ନୀତିକାନ୍ତିକୁ ବି ରଙ୍ଗ ଓ ନାଁ ପରି ବଦଳାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ କରୁଥିବା ବିଜେଡି କଟାକ୍ଷ କରିଛି । ଏମିତି ବଦଳି ବଦଳି ପାଞ୍ଚ ବର୍ଷ ପଳାଇବ । ହେଲେ କିଛି କାମ କରି ପାରିବେ ନାହିଁ ରାଜ୍ୟ ସରକାର । ମହାପ୍ରଭୁଙ୍କ ଜମି ଜବରଦଖଲ ମୁକ୍ତ କରିବାର ଆବଶ୍ୟକତା ରହିଛି । ହେଲେ ନବୀନଙ୍କ ଯୋଜନାଗୁଡ଼ିକର ଯେପରି ନାଁ ଓ ରଙ୍ଗ ପରିବର୍ତ୍ତନ କରାଗଲା, ମହାପ୍ରଭୁଙ୍କ କ୍ଷେତ୍ରରେ ତାହା ନ କରିବାକୁ ବିଜେଡି ଦାବି କରିଛି ।
ନା ହୋଇ ପାରୁଛି ମ୍ୟାନେଜିଂ କମିଟି ନା ଲୋକଙ୍କ ଜମିଜମା ରେକର୍ଡଭୁକ୍ତ କରିପାରୁଛନ୍ତି ରାଜ୍ୟ ସରକାର । ନିଜ ଭୁଲ ଲୁଚେଇବା ପାଇଁ ବୟାନବାଜି କରୁଥିବା ବିଜେଡି ଅଭିଯୋଗ କରିଛି । କାରଣ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଯାହା କାର୍ଯ୍ୟକ୍ରମ କରିଥିଲେ, ତାକୁ ମଲା ମିରିଗରେ ପାହାର ପକେଇ ବର୍ତ୍ତମାନର ସରକାର ଶିକାର କରିଥିବା କହି ଚାଲିଛନ୍ତି ।
ବର୍ଷ ବର୍ଷ ଧରି ପୁରୀରେ ରହିଥିବା ଲୋକଙ୍କୁ ଆଗ ଜମି ପଟ୍ଟା ଦେବାକୁ ବିଜେଡି ଦାବି କରିଛି । ମହାପ୍ରଭୁଙ୍କ ନୀତିକାନ୍ତି ସ୍ଵୟଂ ମହାପ୍ରଭୁ ହିଁ କରନ୍ତି । ଯେଉଁମାନେ କର୍ପସ ଫଣ୍ଡରେ ନୀତିକାନ୍ତି କରାଇବା କଥା କହୁଛନ୍ତି ସେ ସରକାର ଶୀଘ୍ର ଭାଙ୍ଗି ଯିବ ବୋଲି ବିଜେଡି କହିଛି। ସେପଟେ ମହାପ୍ରଭୁଙ୍କ କାର୍ଯ୍ୟକୁ କେବଳ ଆଲୋଚନାରେ ସୀମିତ ନ ରଖି ଅବିଳମ୍ବେ ଆରମ୍ଭ କରିବାକୁ କଂଗ୍ରେସ ଦାବି କରିଛି । ପଟ୍ଟା ପାଇ ନଥିବା ଲୋକଙ୍କୁ ପଟ୍ଟା ଦେବାକୁ ଦାବି କରିଛି ଦଳ।
ଆରାଧ୍ଯ ଦେବତା ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର, ଜମି ଜବରଦଖଲ ଓ ନୀତିକାନ୍ତି ପରି ପ୍ରସଙ୍ଗକୁ ନେଇ ସରକାର ରାଜନୀତି ନ କରି ସୁରୁଖୁରୁରେ କାର୍ଯ୍ୟକ୍ରମ ପରିଚାଳନା କରିବାର ଆବଶ୍ୟକତା ରହିଛି । ସରକାର ଆସୁ ଆସୁ ପ୍ରଥମ ରଥଯାତ୍ରା ଏପରି ହେଲା ଯେ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ରଥରୁ ପଡ଼ିଲେ । ଏତେ ବଡ଼ ବିଭ୍ରାଟକୁ କେବଳ ତଦନ୍ତ ଆଳରେ ସୀମିତ ରଖାଯାଇଛି ।