ବୈକୁଣ୍ଠ ଧାମ ଘଟଣା: ତାଲା ଭାଙ୍ଗି ଆଶ୍ରମରେ ପଶିଲେ ଲୋକେ, ଲୁଚି ପଳାଇଲେ କୁନି ସାରଥୀ

1 min read

ଭୁବନେଶ୍ବର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏକ ଛାଟ ପିଲାକୁ କୁନି ସାରଥୀ ବନାଇବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ଆଶ୍ରମର ତାଲା ଭାଙ୍ଗି ଭିତରେ ପଶିଛନ୍ତି । ଅନ୍ୟପଟେ କୁନି ସାରଥୀ ମୁହଁ ଲୁଚାଇ ଆଶ୍ରମରୁ ଫେରାର ହୋଇଯାଇଛନ୍ତି । ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ ।

ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ

ସେପଟେ ଘଟଣାକୁ ନେଇ ମାମଲା ରୁଜୁ ହୋଇଛି । ଆଶ୍ରମରେ ଶିଶୁଙ୍କୁ ବାବା ହିସାବରେ ବ୍ୟବହାର କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଶିଶୁ ସୁରକ୍ଷା ଆୟୋଗ । ଏହି ପ୍ରସଙ୍ଗରେ ଅଭିଯୋଗ ପାଇବା ପରେ କମିଶନ ମାମଲା ରୁଜୁ କରିବା ସହ ଭରତପୁର ଥାନା ଆଇଆଇସିଙ୍କୁ ରିପୋର୍ଟ ମଗାଯାଇଛି । ଏଥିସହ ସିଡବ୍ଲୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ।

ସୂଚନାଯୋଗ୍ୟ, ପ୍ରତି ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଲାଗେ । କୁନି ସାରଥୀଙ୍କ ଦରକାର ଲାଗେ । ହେଲେ ବିବାଦ ପରେ ଆଜି ରବିବାର ହୋଇଥିଲେ ବି ଭକ୍ତଙ୍କୁ ଦେଖିବାକୁ ମିଳି ନଥିଲା । ଏପରିକି କୁନି ସାରଥୀଙ୍କ ମଧ୍ୟ ଦେଖା ମିଳି ନଥିଲା ।

ବାବା ଚଢୁଥିଲେ KTM ବାଇକ୍

ଉତ୍ତେଜନା ପରେ ଆଶ୍ରମରେ ପୋଲିସ ପହଞ୍ଚିଛି । ଆଶ୍ରମ ମଧ୍ୟରେ ଦାମୀ କାର୍ ଓ ବାଇକ୍ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ଏପରିକି କୁନି ସାରଥୀ (ବାବା) KTM ବାଇକ ଚଢୁଥିବା ମଧ୍ୟ ଅଭିଯୋଗ ହେଉଛି ।