ଜମୁଛି କଟକର ଐତିହାସିକ ବାଲିଯାତ୍ରା, ଦେଖଣାହାରୀଙ୍କୁ ଡାକୁଛି ପଲ୍ଲିଶ୍ରୀ ମେଳା
କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା। ଉପର ଓ ମହାନଦୀ ପଠା ତଳ ପଡିଆରେ ମେଳିଛି ଶତାଧିକ ବିପଣନ ସାମଗ୍ରୀର ପସରା। ଠୁଙ୍କା ପୁରୀ, ଆଳୁଦମ ଦହିବରା, ମଥୁରାକେକ, ଗୁପଚୁପ ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ ଭଳିକି ଭଳି ଦୋଳି ଆଉ ଓରମାସର ପଲିଶ୍ରୀ ମେଳା ହାତଠାରି ଡାକୁଛି ଦର୍ଶକଙ୍କୁ।
୮ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଯାତ୍ରାକୁ ପ୍ରତିଥର ପରି ଏଥର ଆସିଛି ବିଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି, ସାଂସ୍କୃତିକ ବିଚିତ୍ରା ସାଙ୍ଗକୁ ଓରମାସ ବଜାର । ଏଥର ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ଉପଭୋଗ କରିବା ପାଇଁ ଆରମ୍ଭ ହେଲାଣି ଦର୍ଶକଙ୍କ ଭିଡ଼ । ବୁଲା ବୁଲି ସାଙ୍ଗକୁ କିଣାକିଣି ଆରମ୍ଭ କରିଦେଲେଣି ଲୋକ ।
ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କରିବା ପାଇଁ ଜିଲ୍ଲା ପ୍ରଶାସନ ୧୩ଟି ରାଷ୍ଟ୍ରର ରାଷ୍ଟ୍ର ଦୂତଙ୍କ ସମେତ ୮ ଦେଶର କଳାକାରକୁ ଆମନ୍ତ୍ରଣ କରାଯାଇଛି। ମେଳାର ଉଭୟ ଉପର ଓ ତଳ ପଡିଆରେ ୨୫ ଶହରୁ ଅଧିକ ବିପଣନ ସାମଗ୍ରୀର ପସରା ମେଲିଛି।