ନନ୍ଦିଘୋଷ ବ୍ୟୁରୋ: ପୂଜା ପୂର୍ବରୁ ବିପର୍ଯ୍ଯସ୍ତ ଟ୍ରାଫିକ ସେବା । ଟ୍ରାଫିକ ପୋଲିସଙ୍କ ମିଳୁନି ଦେଖା । ସିସିଟିଭି ଲଗାଇ ଦେଇ ଚୂପ ପ୍ରଶାନସ । କଟକର ଅନ୍ୟତମ ପ୍ରମୁଖ ତଥା ପ୍ଲାନ୍ ସାଟେଲାଇଟ୍ ସିଟି ଭାବେ ପରିଚିତ ସିଡିଏ ଅଞ୍ଚଳରେ ଏବେ ଟ୍ରାଫିକ୍ ସମସ୍ୟା ଚରମ ସୀମାରେ ପହଞ୍ଚିଛି । ସହରର ବିକାଶ ସହ ଗାଡ଼ି ମଟର ସଂଖ୍ୟା ବଢ଼ୁଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅଞ୍ଚଳର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ପୋଷ୍ଟଗୁଡ଼ିକରେ ଜଣେ ହେଲେ ଟ୍ରାଫିକ୍ କର୍ମଚାରୀ ନଜର ଆସୁନାହାନ୍ତି । କେବଳ କ୍ୟାମେରା ଏବଂ ସିଗନାଲ ଲାଇଟ୍ ଲଗାଇ ଦେଇ ଟ୍ରାଫିକ୍ ବିଭାଗ ନିଜ କର୍ତ୍ତବ୍ୟ ସାରିଦେଇଛି । ଫଳରେ ପ୍ରତିଦିନ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ।
ଏହି ପ୍ରମୁଖ ଟ୍ରାଫିକ ପୋଷ୍ଟ ଦୀର୍ଘ ଦିନ ହେବ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଷ୍ଟ ଉପରେ ଗଛଲତା ମାଡ଼ି ଯିବା ସହିତ ଭାଙ୍ଗିରୁଜି ଗଲାଣି । ଖାଲି ଏହି ଗୋଟିଏ ଛକ ନୁହେଁ ଏକାଧିକ ଗୁରୁତ୍ବପୂର୍ଣ୍ଣ ଛକରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ସେକ୍ଟର-୬ ନୂଆ ରୋଡ଼ ରାସ୍ତା, ସେକ୍ଟର-୧୦ମାଛ ମାର୍କେଟ ଗୋଲେଇ ଛକ ଏବଂ ପ୍ରତିଷ୍ଠିତ ଜଷ୍ଟିସ୍ ଛକ ଆଦି ସ୍ଥାନରେ କେବଳ ଟ୍ରାଫିକ୍ ପୋଷ୍ଟ ଠିଆ ହୋଇ ରହିଛି । ମାତ୍ର ଭିଡ଼ ସମୟରେ ଗାଡ଼ି ଚଳାଚଳକୁ ନିୟନ୍ତ୍ରିତ କରିବା ପାଇଁ ସେଠାରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନି ।

