୧୦୮ ପାଣି ଗରାରେ ହେଲା ମା’ ତାରାତାରିଣୀଙ୍କ ମହାସ୍ନାନ
ପୁରୁଷୋତ୍ତମ ପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ପରେ ଆଜି ମାଆଙ୍କ ହୋଇଛି ମହାସ୍ନାନ । ୧୦୮ ପାଣି ଗରାରେ ମାଆଙ୍କ କରାଯାଇଛି ମହାସ୍ନାନ । ଋଷିକୁଲ୍ଯା ନଦୀରୁ ସେବାୟତ ପରିବାରର ମାଆ ମାନେ ପାଣି ଆଣି ୯୯୯ ପାହାଚ ଚଢି ଯାଇଥିଲେ ମନ୍ଦିର ଉପରକୁ । ପରେ ମାଆଙ୍କ ସଂପନ୍ନ ହୋଇଥିଲା ମହାସ୍ନାନ । ଏହି ସମୟରେ ଶ୍ରୀ ସୁକ୍ତ, ଦେବୀ ସୁକ୍ତ ସହ ରାତ୍ରୀ ସୁକ୍ତ ଭଳି ତିନୋଟି ସୁକ୍ତକୁ ୧୦୮ଥର ପଠନ କରାଯାଇଥିଲା । ବ୍ରହ୍ମପୁରର ବେଦ ପାଠଶାଳାର ଆସିଥିବା ଛାତ୍ର ତିନୋଟି ସୁକ୍ତକୁ ପାଠ କରିଥିଲେ । ଏହାପରେ ମା’ଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ମାଁ ତାରାତାରିଣୀ । ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଦୁର୍ବୃତ୍ତ ଲୁଟିନେଇଥିଲେ । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି ବୋଲି କହିଛନ୍ତି ସେବାୟତ ।
ସେପଟେ ମା’ଙ୍କ ମହାସ୍ନାନ ଯୋଗୁଁ ଆଜି ମାଆଙ୍କ ରୀତିନୀତିରେ ତିନି ଘଣ୍ଟା ବିଳମ୍ବ ହୋଇଥିଲା । ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ଭୋରରୁ ଭକ୍ତଙ୍କ ଭିଡ ଲାଗିଥିଲା । ମା’ଙ୍କ ମନ୍ଦିରରେ ଏଭଳି ଚୋରି ହୋଇଥିବା ସମ୍ପର୍କରେ ଜାଣିବା ପରେ ଭକ୍ତ ଦୁଃଖ ପ୍ରକାଶ କରିଥିଲେ । ଏବଂ ଯେଉଁ ମାନେ ଏଭଳି ଚୋରି କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଭକ୍ତ । ଅନ୍ଯପକ୍ଷରେ ମା’ଙ୍କ ମନ୍ଦିରରେ ଚୋରି ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ତତ୍ପର ହୋଇ ଉଠିଛି । ମନ୍ଦିରରେ ସିସିଟିଭି କ୍ୟାମେରାକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ଜଗୁଆଳୀ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ।