ଆମେରିକାରେ କିଏ କାହାକୁ ଦେଇଛି ଭୋଟ୍ ?
ନନ୍ଦିଘୋଷ ବ୍ୟୁରୋ : ପୁଣି ଆମେରିକାରେ କ୍ଷମତାକୁ ଫେରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭୋଟ୍ ଗଣନାରେ ୨୯୫ ଭୋଟ୍ ପାଇଥିବା ବେଳେ କମଳା ହାରିସ୍ ୨୨୬ଟି ଭୋଟ ହାସଲ କରିଥିଲେ । ରାଷ୍ଟ୍ରପତି ନିର୍ବାଚନାରେ ବଡ଼ ଭୂମିକା ତୁଲାଉଥିବା ସ୍ୱିଙ୍ଗ୍ ରାଜ୍ୟଗୁଡିକରେ ମଧ୍ୟ ଟ୍ରମ୍ପଙ୍କୁ କ୍ଲିନ୍ ସ୍ୱିପ୍ ମିଳିଛି । ବହୁ ବିବାଦରେ ଫସିଥିବା ଟ୍ରମ୍ପଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ଦେଶବାସୀ ।
କାହାକୁ କେତେ ଭୋଟ
କମଳା ହାରିସଙ୍କୁ ୪୩ ପ୍ରତିଶତ ଶ୍ୱେତାଙ୍ଗ ଲୋକ ମାନେ ଭୋଟ ଦେଇଥିବା ବେଳେ ଟ୍ରମ୍ପଙ୍କୁ ଭୋଟ ଦେଇଥିବା ଶ୍ୱେତାଙ୍ଗଙ୍କ ସଂଖ୍ୟା ୫୫ । ସେହିପରି ୮୬ ପ୍ରତିଶତ ଅଶ୍ୱେତ ଲୋକ କମଳା ହାରିସଙ୍କୁ ଭୋଟ ଦେଇଥିବା ବେଳେ ୧୨ ପ୍ରତିଶତ ଅଶ୍ୱେତ ଲୋକ ଟ୍ରମ୍ପଙ୍କୁ ନିଜ ଭୋଟ ଦେଇଛନ୍ତି । ଅନ୍ୟପଟେ ୫୬ ପ୍ରତିଶତ ଏସୀୟ ଲୋକ ଟ୍ରମ୍ପଙ୍କୁ ଏବଂ ୩୮ ପ୍ରତିଶତ କମଳାଙ୍କୁ ଭୋଟ ଦେଇଛନ୍ତି । ସେହିପରି ୫୩ ପ୍ରତିଶତ ଲାଟିନ୍ ଭୋଟର ହାରିସଙ୍କ ସପକ୍ଷରେ ମତଦାନ ଦେଇଥିବା ବେଳେ ଟ୍ରମ୍ପଙ୍କୁ ୪୫ ପ୍ରତିଶତ ଭୋଟ ଦେଇଥିଲେ । ୪୩ ପ୍ରତିଶତ ଅନ୍ୟାନ୍ୟ ଲୋକଙ୍କ ଭୋଟ ହାରିସଙ୍କୁ ଏବଂ ୫୩ ପ୍ରତିଶତ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ।
ଯୁବପୀଢୀଙ୍କ ପ୍ରଥମ ପସନ୍ଦ ଥିଲେ ହାରିସ
ସୂଚନା ମୁତାବକ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୧୮ରୁ ୨୯ ବର୍ଷୀୟ ଭୋଟରଙ୍କ ପସନ୍ଦ କମଳା ହାରିସ ବୋଲି ଜଣାପଡିଛି । ୫୫ ପ୍ରତିଶତ ଯୁବଗୋଷ୍ଠୀ ହାରିସଙ୍କୁ ଭୋଟ କରିଥିବା ବେଳେ ୪୨ ପ୍ରତିଶତ ଭୋଟ ଟ୍ରମ୍ପଙ୍କୁ ମିଳିଛି । ସେହିପରି ୩୦ରୁ ୪୪ ବର୍ଷୀୟ ଭୋଟର ୫୧ ପ୍ରତିଶତ ଭୋଟ କମଳାଙ୍କୁ ଏବଂ ୪୬ ପ୍ରତିଶତ ଭୋଟ୍ ଟ୍ରମ୍ପଙ୍କୁ ଦେଇଛନ୍ତି । କେବଳ ୪୫ରୁ ୬୪ ଏବଂ ୬୫ରୁ ଅଧିକ ବର୍ଷୀୟ ଭୋଟର ହିଁ କମଳାଙ୍କ ତୁଳନାରେ ଟ୍ରମ୍ପଙ୍କୁ ଅଧିକ ଭୋଟ ଦେଇଛନ୍ତି ।
ଅନ୍ୟପକ୍ଷେ , କମଳା ହାରିସଙ୍କୁ ସବୁଠୁ ଅଧିକ ୫୪ ପ୍ରତିଶତ ମହିଳା ଭୋଟର ଭୋଟ ଦେଇଛନ୍ତି । ଯାହା ତୁଳନାରେ ୪୪ ପ୍ରତିଶତ ପୁରଷ ଭୋଟର ବି କମଳାଙ୍କୁ ଚୟନ କରିଥିଲେ । ସେହିପରି ଟ୍ରମ୍ପଙ୍କୁ ୫୪ ପ୍ରତିଶତ ପୁରୁଷ ବାଛିଥିବା ବେଳେ ୪୪ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି ।
ଯଦି ଶିକ୍ଷା ଅନୁଯାୟୀ ଭୋଟଙ୍କ ତାଲିକା ଦେଖାଯାଏ ତେବେ, କଲେଜ ଡିଗ୍ରୀ ନଥିବା ଲେକଙ୍କ ମଧ୍ୟରେ ହାରିସଙ୍କୁ ୫୭ ପ୍ରତିଶତ ଏବଂ ଟ୍ରମ୍ପଙ୍କୁ ୪୪ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି ।