ମାଛଧରା କଣାକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧୀବର
ନନ୍ଦିଘୋଷ ବ୍ୟୁରୋ : ସଙ୍କଟରେ ମତ୍ସ୍ଯଜୀବୀ । ନଭେମ୍ବର ୧ରୁ ସାତ ମାସ ପର୍ଯ୍ଯନ୍ତ ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା । ମାଛଧରା କଣାକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧୀବର । ଏ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସହନ ଗାଁର ଦୃଶ୍ୟ । ଯେଉଁଠି ରାତି ପାହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି ମତ୍ସ୍ଯଜୀବୀ । ମାତ୍ର ଏବେ ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ଲାଗିଥିବା କଟକଣା ଯୋଗୁଁ ମାଛ ଧରି ନପାରି ଘରେ ବସିରହିଛନ୍ତି ମତ୍ସ୍ଯଜୀବୀ । ଫଳରେ ପ୍ରଭାବିତ ହେଉଛି ଜୀବନ ଜୀବିକା । ଏଭଳି ସ୍ଥିତିରେ ପରିବାର କିପରି ଚଳାଇବେ ତାକୁ ନେଇ ଚିନ୍ତାରେ ମତ୍ସ୍ଯଜୀବୀ । କେବଳ ଏତିକି ନୁହେଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନଗର, କାଳିଆକଣ, ବାଲିଡିଆ, ପାଟସୁନ୍ଦରପୁର, ଅସନ, ଆଳସାହି, ସହନ, ସୁଧୀକେସର, ଡ଼ାଳୁଅକଣି ଗାଁର ପାଖାପାଖି ୧୨ ହଜାର ମତ୍ସ୍ଯଜୀବୀ ପରିବାର ପ୍ରଭାବିତ ହୋଇଛନ୍ତି ।
ମାଛ ଧରିବା ଉପରେ କଟକଣା ଲାଗିଥିବାରୁ ମତ୍ସ୍ଯଜୀବୀଙ୍କୁ ୭ ମାସ ପାଇଁ ମାତ୍ର ୧୫ ହଜାର ଟଙ୍କା ଯୋଗାଇଦେଇଛନ୍ତି ସରକାର । ଯାହା ସମୁଦ୍ରକୁ ଶଙ୍ଖେ ଭଳି । ଏଥିସହ ଅନେକ ମତ୍ସ୍ଯଜୀବୀ ମଧ୍ଯ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହେଉଛି । ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ଯଜୀବୀ । ତେଣୁ ମତ୍ସ୍ଯଜୀବୀଙ୍କୁ ଅଧିକ ଟଙ୍କା ପ୍ରଦାନ କରିବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି ଓଡିଶା ପାରମ୍ପରିକ ମତ୍ସ୍ଯଜୀବୀ ୟୁନିୟନ ସଭାପତି । ଅସ୍ତରଙ୍ଗ ଦେବୀ ନାସି ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ କଇଁଛଙ୍କ ଅଣ୍ଡାଦାନ ସ୍ଥଳୀ କୁହାଯାଏ । ବନବିଭାଗ କଇଁଛସୁରକ୍ଷା କରିବା ସହିତ ମତ୍ସ୍ଯଜୀବୀ ମାନଙ୍କ ସ୍ଥାୟୀ ରୋଜଗାର ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।