କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିନି ୮ ମାସର ଦରମା
ନନ୍ଦିଘୋଷ ବ୍ୟୁରୋ: ତାତିଲେ ମହିଳା । ୩୦ ଜିଲ୍ଲାର ୬ଟି ସପୋର୍ଟ ଷ୍ଟାଫଙ୍କ ବକେୟା ୮ ମାସର ପାରିଶ୍ରମିକ ପାଇଁ ରାଜ୍ୟ ଜୀବିକା ମିଶନ ଅଫିସ ସମ୍ମୁଖରେ ହଙ୍ଗାମା । ୮ ମାସ ଧରି ଖଟାଇ ଦରମା ଦେଉ ନଥିବା ଅଭିଯୋଗରେ ସାରା ଓଡ଼ିଶାରୁ କମ୍ଯୁନିଟି ସପୋର୍ଟ ଷ୍ଟାଫ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ଯ ମିଶନ ଶକ୍ତି ବିଭାଗ ଅଫିସ ଆଗରେ ଧାରଣା ଦେବା ସହ ତୁରନ୍ତ ଦରମା ଦେବାକୁ ହାତ ଯୋଡ଼ି ଗୁହାରି କରିଛନ୍ତି ।
ପେଟରେ ଭୋକ ଆଖିରେ ଲୁହ । କେବେ ମିଳିବ ପାରିଶ୍ରମିକ ? ବିନା ଦରମାରେ ଖଟିଲେଣି ୮ ମାସ । ବିଗିଡିବାରେ ଲାଗିଛି ପରିବାର ସ୍ଥିତି । ମୁଣ୍ଡଫଟା ଖରାରେ ଧାରଣାରେ ବସି କାନ୍ଦି କାନ୍ଦି ମାଗିଲେ ଦରମା । ହେଲେ ଦୁଃଖ ଶୁଣିବା ପାଇଁ କାହା ନିକଟରେ ନାହିଁ ସମୟ । ମାସେ କି ଦୁଇମାସ ନୁହେଁ, ୮ ମାସ ଧରି ୩୦ ଜିଲ୍ଲାର ୬ ଟି ସପୋର୍ଟ ଷ୍ଟାଫଙ୍କୁ ମିଳିନି ଦରମା । ସରକାର ଯେତେବେଳେ ନାରୀକୁ ସମ୍ମାନ ଦେବା କଥା କହୁଛନ୍ତି । ହେଲେ ଆଜି ସେମାନଙ୍କୁ ଅବହେଳା କରାଯାଇଛି । ତେଣୁ ହାତଯୋଡ଼ି ରାଜ୍ଯ ମିଶନ ଶକ୍ତି ବିଭାଗ ଅଫିସ ଆଗରେ ଧାରଣା ଦେଇଛନ୍ତି ଶହ ଶହ ମହିଳା । କାନ୍ଦି କାନ୍ଦି ପଚାରୁଛନ୍ତି, କେବେ ମିଳିବ ପାରିଶ୍ରମିକ ।
ରାଜ୍ଯର ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏମବିକେ, ସିଆରପି, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର, ଏଲଏସପି କର୍ମୀ ଆଜି ଦରମା ନପାଇ ଅନାଟନ ଭିତରେ ଗତି କରୁଛନ୍ତି । ନବୀନ ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆରମ୍ଭ କରିଥିଲେ ଯୋଜନା । ସରାକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଏହି ମହିଳା ସହୋଯୋଗ କରୁଛନ୍ତି । ରାଜ୍ଯ ସରକାର ଏଥିପାଇଁ ତାଙ୍କୁ ପାରିଶ୍ରମିକ ଦେଇ ଆସୁଥିଲେ ।
ହେଲେ ସରକାର ବଦଳିବା ପରେ ୮ ମାସ ହେଲା ସେମାନେ ଦରମା ପାଇ ନାହାନ୍ତି । ତଥାପି କାର୍ଯ୍ଯରେ କେବେ ଅବହେଳା କରି ନାହାନ୍ତି । କିନ୍ତୁ ଦରମା ମିଳୁ ନଥିବାରୁ ସାରା ରାଜ୍ୟରେ ୭୦ ହଜାରରୁ ଅଧିକ ମହିଳାଙ୍କ ପରିବାର ଆଜି ଦୁର୍ଦ୍ଦିନରେ । ବିଭାଗୀୟ ଅଧିକାରୀଙ୍କ ଠାରୁ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ପରେ ମଧ୍ଯ ମିଳୁନି ଉତ୍ତର । ତେଣୁ ଦରମା ନମିଳିବା ପର୍ଯ୍ୟନ୍ତ ଧାରଣା ଦେବା ସହିତ ଆଗାମୀ ଦିନରେ ବଡ଼ ଆକାରର ଆନ୍ଦୋଳନ କରିବାକୁ ଦେଇଛନ୍ତି ଚେତାବନୀ ।