ମଦ ବନ୍ଦ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ : ଖଇ ଉଡ଼ାଇ ଦେଲେ ଅଭିଶାପ
ତେଲକୋଇ : ମଦ ବନ୍ଦକୁ ନେଇ ମହିଳାମାନେ ଅଭିନବ ଡଙ୍ଗରେ ପ୍ରତିିବାଦ କରିଛନ୍ତି । ସଂଗୃହିତ ଧାନରେ ପ୍ରସ୍ତୁତ ଖଇକୁ ଉଡ଼ାଇ ଅଭିଶାପ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ପଡ଼ାଙ୍ଗ ଗାଁରେ ବେଆଇନ ମଦ କାରବାର ବିରୋଧରେ ମାସେ ହେଲାଣି ଆନ୍ଦୋଳନ ଜାରି ରଖିଛନ୍ତି ମହିଳା । ପୋଲିସ ପ୍ରଶାସନ କିଛି ପଦକ୍ଷେପ ନନେବାରୁ ଶେଷରେ ବାଧ୍ୟହୋଇ ଆଜି ପଡ଼ାଙ୍ଗ ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ଗାଁ ଦେହୁରୀ ଓ ଜଗନ୍ନାଥ ମନ୍ଦିର ପୂଜକଙ୍କ ଦ୍ଵାରା ଲକ୍ଷ୍ମୀମଣ୍ଡପଠାରେ ଭାଗବତ ପୂଜା କରିଥିଲେ । ଗାଁରେ ମଦ ବିକ୍ରି ଓ ମଦ ପିଇବାକୁ ବାରଣ କରିବା ସହିତ ପ୍ରତି ଘରୁ ସଂଗୃହିତ ଧାନରେ ପ୍ରସ୍ତୁତ ଖଇକୁ ଉଡ଼ାଇଥିଲେ । ଯିଏ ଅମାନ୍ୟ କରିବ ତା’ର କ୍ଷତି ଓ ସର୍ବନାଶ ହେବ ବୋଲି ଖଇ ଉଡ଼ାଇ ଅଭିଶାପ ଦେଇଛନ୍ତି ମହିଳା । ତେଲକୋଇ ବ୍ଲକରେ ଗୋଟିଏ ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ୨ଟି ଦେଶୀ ମଦ ଭାଟି ରହିଛି । ଏହା ସହିତ ଗାଁ ଗଣ୍ଡାରେ ପ୍ରାୟ ୪୦ରୁ ଅଧିକ ଚୋରା ବିଦେଶୀ ମଦ ଦୋକାନ ଓ ୨୦୦ରୁ ଅଧିକ ଦେଶୀ ମଦ ଦୋକାନ ଖୋଲିଛି । ମଦ ଯୋଗୁଁ ପରିବାରରେ ଅଶାନ୍ତି ସହିତ ଲୋକଙ୍କ ଜୀବନ ଯାଉଛି । ଅବକାରୀ ଓ ପୋଲିସ ବିଭାଗକୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତରନ୍ତ ଚୋରା ମଦକାର ବନ୍ଦ କରି ଏଥିରେ ସମ୍ପୃକ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ମହିଳା।