ସାଢେ ୩ ଘଣ୍ଟା ପରେ ଚାଲିଲା ମୋ ବସ୍, ୧୫ ଅଟକ ବସକୁ ଛାଡିଲେ ଉତ୍ତ୍ୟକ୍ତ ଲୋକେ
1 min readଭୁବନେଶ୍ବର: ମୋ ବସ୍ ଧକ୍କାରେ ଯୁବତୀ ଆହତ ହେବା ଘଟଣାକୁ ନେଇ ରାଜଧାନୀରେ ଉତ୍ତେଜନା । ୧୫ଟି ମୋ ବସକୁ ଅଟକ ରଖିଲେ ଲୋକେ । ସାଢେ ୩ ଘଣ୍ଟା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଗଡ଼ିଲା ମୋ ବସ୍ ।
ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଆଜି ସକାଳେ ଜଣେ ଯୁବତୀ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମୋ ବସ । ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଆହତ ଯୁବତୀଙ୍କ ନାଁ ଝିଲି ଷୋହଲା ଓ ତାଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡିଛି । ସେ ଭୁବନେଶ୍ଵର ଏକ ବିୟୁଟି ପାର୍ଲରରେ କାମ କରନ୍ତି ।
ତାଙ୍କୁ ମୋ ବସ୍ ଧକ୍କା ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଏହି ରୁଟରେ ପ୍ରାୟ ୧୫ଟି ମୋ ବସକୁ ଅଟକ ରଖିଥିଲେ । ଏହାସହ ଯୁବତୀଙ୍କୁ କ୍ଷତିପୂରଣ ଓ କ୍ରୁଟରେ ସରକାରୀ ନିଯୁକ୍ତି ଦେବାକୁ ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ । ଉଭୟ ରୁଟରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା । ଦୁର୍ଘଟଣା ଘଟାଇଥିବା ବସ୍ ଓ ଡ୍ରାଇଭରକୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ପୋଲିସ । ଡ୍ରାଇଭର ବିରୋଧରେ କ୍ରିମିନାଲ କେସ ହେବ । କୋର୍ଟ ଅର୍ଡର ଆସିଲେ ବସକୁ ଛଡ଼ାଯିବ । ବେପରୁଆ ଗାଡି ନ ଚଳାଇବାକୁ କ୍ରୁଟ ଅଧିକାରୀଙ୍କୁ ତାଗିଦ୍ କରିଛି ପୋଲିସ୍ ।