ଦେଶରେ ଶୀଘ୍ର ଲାଗୁ ହେବ ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନ ବ୍ୟବସ୍ଥା: ପ୍ରଧାନମନ୍ତ୍ରୀ

କେୱଡିଆ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଦୋହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଲାଗୁ କରାଯିବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା । ସରକାର ଏହା ଉପରେ କାମ କରି ଚାଲିଛନ୍ତି । ଖୁବଶୀଘ୍ର ଏହା ଘୋଷଣା କରାଯିବ ଓ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ସତ ହେବ ।

ସୂଚନାଯୋଗ୍ୟ, ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ କେନ୍ଦ୍ର କ୍ଯାବିନେଟ ମଞ୍ଜୁରୀ ଦେଇଥିବାବେଳେ ଆଗାମୀ ଶୀତ କାଳୀନ ଅଧିବେଶନରେ ଏହି ବିଲ୍ ସଂସଦରେ ଆଗତ ହେବା ସମ୍ଭାବନା ରହିଛି । ଏହାସହ ଦେଶରେ ୟୁନିଫର୍ମ ସିଭିଲ କୋଡ ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସର୍ଦ୍ଦାର ପଟେଲଙ୍କ ୧୪୯ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେୱଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।

କହି ରଖୁଛୁ, ମୋଦି ସରକାରଙ୍କ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହେଉଛି ଓ୍ବାନ ନେସନ, ଓ୍ବାନ ଇଲେକ୍ସନ । ଯାହାକୁ କାର୍ଯ୍ୟକାରୀ କରିବାକୁ ମୋଦି ସରକାର ଦିନରାତି ଏକ କରିଦେଇଛି । ହେଲେ ଏହି ବିଲ୍ ଆଇନରେ ପରିଣତ ହେବା ଏତେ ସହଜ ମନେ ହେଉନାହିଁ । କାରଣ ବହୁ ରାଜେନୖତିକ ଦଳ ଓ୍ବାନ ନେସନ ଓ୍ବାନ ଇଲେକ୍ସନକୁ ବିରୋଧ କରୁଛନ୍ତି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଗୁଜରାଟର କେୱଡିଆ ପହଞ୍ଚି ଥିଲେ । ଯେଉଁଠି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ରହିଛି । ଯାହା ଷ୍ଟାଚ୍ୟୁ ଅଫ୍ ୟୁନିଟଇ ନାମରେ ନାମିତ । ସେଠାରେ ସେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।