ଇ-ଚାଲାଣ ନାଁରେ ବଡ଼ ଧରଣର ସ୍କାମ, ସତର୍କ ରହିବାକୁ ପରାମର୍ଶ

1 min read

ନୂଆଦିଲ୍ଲୀ: ଇ-ଚାଲାଣ ନାମରେ ଚାଲିଛି ବଡ ଧରଣର ସ୍କାମ । ଠକାମିର ଶିକାର ହେଉଛନ୍ତି ଲୋକେ । ଇ-ଚାଲାଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ଓ ସାଇବର ଏକ୍ସପର୍ଟ ଦେଲେ ପରାମର୍ଶ ।

ସୂଚନାଯୋଗ୍ୟ, ପ୍ରଥମେ ୨୦୧୨ରେ ଆଂଶିକ ଭାବେ ଏବଂ ପରେ ୨୦୧୭ରେ ସମ୍ପୂର୍ଣ୍ଣ ଭାବେ ଇ-ଚାଲାଣ ବ୍ଯବସ୍ଥା ହୋଇଥିଲା । ବିଶେଷ କରି ଟ୍ରାଫିକ ଉଲ୍ଲଂଘନ କ୍ଷେତ୍ରରେ ଇ-ଚାଲାଣ ବ୍ଯବସ୍ଥା କାର୍ଯ୍ୟକାରୀ ହୋଇଥିଲା । ମାତ୍ର ବର୍ତ୍ତମାନ ସାଇବର ଠକମାନେ ଇ-ଚାଲାଣ ବ୍ଯବସ୍ଥା ଜରିଆରେ ଲୋକଙ୍କୁ ଠକିଥିବା ଦେଖାଯାଉଛି । ସାଇବର ଠକମାନେ ଇ-ଚାଲାଣ ଜରିଆରେ ଫେକ୍ ଲିଙ୍କ୍ ପଠାଉଛନ୍ତି ଓ ଲିଙ୍କ୍ କ୍ଲିକ କଲେ ବ୍ଯାଙ୍କ ଆକାଉଣ୍ଟକୁ ହ୍ଯାକ କରୁଛନ୍ତି । ଏପରିକି ପଡି ରହିଥିବା ଚାଲାଣ ନାଁରେ ଫେକ୍ ଏସଏମଏସ ଆଲର୍ଟ ବି ପଠାଉଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଟ୍ରାଫିକ ଚାଲାଣ ସମ୍ପର୍କରେ କୌଣସି ଲିଙ୍କ ଆସିଲେ ତାହାକୁ କ୍ଲିକ କରନ୍ତୁ ନାହିଁ । ପେମେଣ୍ଟ ଲାଗି ଲିଙ୍କକୁ କ୍ଲିକ କଲେ ଠକମାନେ ବ୍ଯାଙ୍କ ଆକାଉଣ୍ଟକୁ ହ୍ଯାକ କରିବା ଆଶଙ୍କା ରହିଛି । ଟ୍ରାଫିକ ଜନିତ ଇ-ଚାଲାଣ କ୍ଷେତ୍ରରେ ବହୁ ଅଭିଯୋଗ ବର୍ତ୍ତମାନ ଆସୁଛି । ଭୁଲ ଗାଡି ନମ୍ବର, ଜଣକର ତ୍ରୁଟି କ୍ଷେତ୍ରରେ ଅନ୍ଯ ଜଣଙ୍କ ନିକଟକୁ ଚାଲାଣ ପଠାଇବା ଆଦି ଘଟଣା ବହୁସଂଖ୍ଯାରେ ବଢୁଛି । ଏପରିକି ଅସାଧାରଣ ଭାବେ ସ୍ଥିରୀକୃତ ପରିମାଣଠାରୁ ବହୁ ଅଧିକ ପରିମାଣର ଇ-ଚାଲାଣ ଆସୁଛି । ଏହି ସମସ୍ଯା ଭିତରେ ଫେକ୍ ଲିଙ୍କ ଲୋକଙ୍କୁ ଅଧିକ ସମସ୍ଯାରେ ପକାଉଛି ।