ବାତ୍ୟା ପ୍ରଭାବ : ୬ଦିନ ହେବ ଅନ୍ଧାରରେ ବିତୁଛି ଜୀବନ
ନନ୍ଦିଘୋଷ ବ୍ୟୁରୋ: ୬ଦିନ ହେବ ଅନ୍ଧାରରେ ବିତୁଛି ଜୀବନ। ବାସୁଦେବପୁରରେ ଦାନାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ଯା ପବନରେ ବଡ ବଡ ଗଛ ପଡି ବିଦ୍ଯୁତ ସେବା ଠପ ହୋଇଯାଇଥିବା ବେଳେ ଡିବିରି ଆଲୁଅରେ ହେଉଛି ନିତ୍ଯାକାର୍ଯ୍ୟ। ଡିବିରି ଆଲୁଅରେ ରୋଷେଇ ଆଉ ପାଠ ପଢା ହେଉଛି। ଚାରିଆଡେ ପାଣି ଥିବାରୁ ବାଉଁଶ ଭେଳା ସାହାଯ୍ୟରେ ଯିବା ଆସିବା କରୁଛନ୍ତି ଲୋକେ।
ଚାଲିଗଲା ବାତ୍ୟା ଦାନା ହେଲେ ଦେଇଗଲା ଅସରନ୍ତି ଦୁଃଖ। ବାତ୍ଯା ପରେ ଅନ୍ଧାରରେ କଟୁଛି ଜୀବନ। ବାତ୍ଯାକୁ ୬ ଦିନ ବିତିଯାଇଥିଲେ ବି ଭଦ୍ରକ ବାସୁଦେବପୁରରେ ସ୍ବାଭାବିକ ହୋଇପାରିନି ଜୀବନ। ଘର ଆଖ ପାଖ ଯେଉଁଆଡେ ଦିଖିବ ଖାଲି ପାଣି ହିଁ ପାଣି। ବାଉଁଶ ଭେଳା ସାହାଯ୍ୟରେ ଯିବା ଆସିବା କରୁଛନ୍ତି ଲୋକେ। ବାତ୍ଯା ଦାନା ପ୍ରଭାବରେ ବଡ ବଡ ଗଛ ଭାଙ୍ଗିଯାଇଥିବା ବେଳେ ବିଦ୍ଯୁତ ସେବା ଠପ ହୋଇଯାଇଛି। କଳା ଅନ୍ଧକାର ସହ ଯେମିତି ଲଢେଇ କରୁଛନ୍ତି ବାସୁଦେବପୁର ବାସୀ। ଦୀପ ଓ ମହମବତୀ ସାହାରାରେ କଟୁଛି ରାତି।
ବାସୁଦେବପୁର ପୌରପାଳିକା ରାଧାକାନ୍ତପୁରରେ ବିଦ୍ୟୁତ ନଥିବାରୁ ଡିବିର ମିଞ୍ଜି ମିଞ୍ଜି ଆଲୋକରେ ପଢୁଛନ୍ତି ପିଲା। ରାତି ଅନ୍ଧକାରରେ ସେଇ ଡିବିରି ଆଲୋକରେ ହେଉଛି ରୋଷେଇ। ୬ ଦିନ ଧରି ଅନ୍ଧାରରେ ଦିନ କାଟି ଅତିଷ୍ଟ ହୋଇଗଲେଣି ଲୋକେ। ବାତ୍ୟା ପରେ ବନ୍ୟା ଦୁର୍ଦ୍ଦଶାକୁ ଆହୁରି ବଢେଇ ଦେଇଛି। ପ୍ରଶାସନ ପକ୍ଷରୁ ତତ୍ପରତାର ଅଭାବ ବୋଲି ଅଭିଯୋଗ କରିଛନ୍ତି ଲୋକେ।