ଗାଜା ଉପରେ ଇସ୍ରାଏଲର ଆକ୍ରମଣ : ୭୮ ମୃତ, ଲୋକଙ୍କ ପାଖରେ ନାହିଁ ଖାଦ୍ୟ, ଜଳ ଏବଂ ଔଷଧ

1 min read

ନନ୍ଦିଘୋଷ ବ୍ୟୁରୋ : ୨୦୨୩ ମସିହା ଅକ୍ଟୋବର ୭ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ପ୍ରାୟ ୧୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତାର ଘାଜା ଉପରେ ଆକ୍ରମଣ କରୁଛି । ଗତ ସପ୍ତାହରେ ଇସ୍ରାଏଲ ଉତ୍ତର ଗାଜାରେ ଏକ ପ୍ରମୁଖ ଭୂମି ଅଭିଯାନ ଆରମ୍ଭ କରିଛି ।  ଇସ୍ରାଏଲର ଲକ୍ଷ୍ୟ ହେଉଛି ହାମାସକୁ ମୂଳୋତ୍ପାଟନ କରିବା ।ଏହି ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଛି, ଯେଉଁ କାରଣରୁ ଗାଜାର ଅବସ୍ଥା ବିଗିଡି ଯାଉଛି । ପର୍ଯ୍ୟାପ୍ତ ସହାୟତା ଗାଜାରେ ପହଞ୍ଚୁନାହିଁ  ।

ଗାଜା ଉପରେ ହାମଲାକୁ ଇସ୍ରାଏଲ ଜୋରଦାର କରିଛି । ଏହି କ୍ରମରେ ମଙ୍ଗଳବାର ଦିନ ଇସ୍ରାଏଲ୍ ଉତ୍ତର ଗାଜା ଷ୍ଟ୍ରିପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଅନେକ ଶିଶୁ ଓ ମହିଳା ପ୍ରାଣ ହରାଇଛନ୍ତି । ଗାଜାରେ ମୌଳିକ ଜିନିଷର ଉପଲବ୍ଧତା ମଧ୍ୟ ଚିନ୍ତାର ବିଷୟ ପାଲଟିଛି  । UNRWA ମୁଖପାତ୍ର ଜନ୍ ଫାଉଲର କହିଛନ୍ତି ଯେ, ଯଦି ଗାଜାରେ ମାନବିକ କାର୍ଯ୍ୟ ବିଫଳ ହୁଏ ତେବେ ଏହା ଏକ ବଡ ବିପର୍ଯ୍ୟୟ ହେବ ।

ଗାଜାର ଅବସ୍ଥା ଏତେ ଖରାପ ହେବାରେ ଲାଗିଛି ଯେ, ସେଠାରେ ଥିବା ଲୋକମାନେ ଖାଦ୍ୟ, ଜଳ ଏବଂ ଔଷଧ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି । ଖବର ଅନୁଯାୟୀ, ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଉଥିବା ଜାତିସଂଘର ମୁଖ୍ୟ ଏଜେନ୍ସି ସହିତ ସମ୍ପର୍କ ଛିନ୍ନ କରିବା ଏବଂ ଏହାକୁ ଇସ୍ରାଏଲ୍ ମାଟିରୁ ନିଷିଦ୍ଧ କରିବା ପାଇଁ ଇସ୍ରାଏଲର ଆଇନଜୀବୀମାନେ ଦୁଇଟି ଆଇନ ପ୍ରଣୟନ କରିଥିଲେ । ଇସ୍ରାଏଲ୍ ଗାଜା ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କକୁ ନିୟନ୍ତ୍ରଣ କରେ । ଏହି କାରଣରୁ ଇସ୍ରାଏଲ ଏଠାରେ ନିଜର ନିୟମ ତିଆରି କରୁଛି  । ଏଥି ସହିତ ଲେବାନନର ସ୍ଥିତି ମଧ୍ୟ ଭଲ ନୁହେଁ  । ହିଜବୁଲ ମଙ୍ଗଳବାର ଦିନ ଘୋଷଣା କରିଛି ଯେ, ଏହାର ପୁରୁଣା ନେତା ହାସନ ନାସରାଲ୍ଲାଙ୍କ ସ୍ଥାନରେ ଶେଖ ନଇମ କାସୀମଙ୍କୁ ଚୟନ କରାଯାଇଛି । ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନାସରାଲ୍ଲାଙ୍କର ମୃତ୍ୟୁ ହୋଇଥିଲା। ବିଜୟ ହାସଲ ନହେବା ପର୍ଯ୍ୟନ୍ତ ହିଜବୁଲ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛି ।