ନାଚିବେ ବାରଡେନ୍ସର : ଛୁଇଁବା ମନା ଓ ଉଡିବନି ଟଙ୍କା

1 min read

ଭୁବନେଶ୍ବର : ଅବକାରୀ ବିଭାଗର ୟୁ-ଟର୍ଣ୍ଣ। ଏଣିକି ରାତିରେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର। ଷ୍ଟେଜରେ ନାଚିବେ ଯୁବତୀ। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରଙ୍କ ପୋଷାକ ପରିଧାନରେ ବି ଶାଳୀନତା ରହିବ । ଅବକାରୀ ବିଭାଗ ଏଭଳି କିଛି ନୂଆ ନିୟମ କରିଛି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶା ଅବକାରୀ ସଂଶୋଧନ ରୁଲସ ବିଜ୍ଞପ୍ତି ଜାରି ହୋଇଛି । ସଂଶୋଧିତ ନିୟମାବଳୀ ଆଧାରରେ ଏଣିକି ବାରରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ । ଏଥାପିଁ କିଛି ନିୟମ ଜାରି କରିଛି ଅବକାରୀ ବିଭାଗ। ଡ୍ୟାନ୍ସ ବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ। ଏବଂ ଏହି କ୍ୟାମେରା ୨୪ଘଣ୍ଟା  ଅନ୍ ରହିବ। ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୋଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୁଏ, ତେବେ ସମ୍ପୃକ୍ତ ବାର ମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଯେପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇଛି ସେପର୍ଯ୍ୟନ୍ତ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ ।