ଫୁଲବାଣୀ ମାତୃଶିଶୁ କେନ୍ଦ୍ରରେ ସଂଘାତିକ ତ୍ରୁଟି

 

ନନ୍ଦିଘୋଷ ବ୍ୟୁରୋ: ନବଜାତ ଶିଶୁପୁତ୍ର ବଦଳରେ ଶିଶୁକନ୍ଯାକୁ ରେଫର କରିଦେଲେ ଡାକ୍ତର । ଫୁଲବାଣୀ ମାତୃଶିଶୁ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ସଂଘାତିକ ତ୍ରୁଟି । ଅଭିଯୋଗ ଅନୁସାରେ ଗତ ୨୫ ତାରିଖରେ ଫୁଲବାଣୀ କାଚେରାସାହିର  ଲିଜା ମୁଖୀ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁପୁତ୍ରଟି ଅସୁସ୍ଥ ଥିବାରୁ ଏସଏନସିୟୁରେ ତାର ଚିକିତ୍ସା ଚାଲିଥିଲା । ତେବେ ଦେହ ଅତି ଗୁରୁତର ଥିବା ଦର୍ଶାଇ ବ୍ରହ୍ମପୁର ଏମକେସିଜିକୁ ଡାକ୍ତର ରେଫର କରିଥିଲେ । ଉଭୟ ବାପାମାଆ ଶିଶୁପୁତ୍ରଟିକୁ ନେଇ ବ୍ରହ୍ମପୁର ଯାଇଥିଲେ । ମାତ୍ର ସେଠାରେ ଭର୍ତ୍ତି କରିବା ପରେ ତାହା ଏକ ଶିଶୁପୁତ୍ର ନୁହେଁ ବରଂ ଶିଶୁକନ୍ଯା ବୋଲି ଡାକ୍ତର କହିଥିଲେ । ଏନେଇ ତୁରନ୍ତ ଫୁଲବାଣୀ ମାତୃଶିଶୁ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ତାଙ୍କ ଶିଶୁପୁତ୍ର ଏବେବି ସେଠାରେ ରହିଥିବା ଛୁଆଟିର ବାପା ଜାଣିବାକୁ ପାଇଥିଲେ । ଅନ୍ଯପଟେ ଶିଶୁକନ୍ଯାଟି ରାଇକିଆ ବ୍ଲକ ବାଲିଗାଡା ଗାଁର କିରଣ ପ୍ରଧାନ ଓ ଶାମୁକା ପ୍ରଧାନଙ୍କର ବୋଲି ଜଣାପଡ଼ିଛି । ଝିଅଟିର ବାପାମାଆଙ୍କୁ ଆମ୍ବୁଲାନ୍ସ ଦ୍ବାରା ମେଡିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ମେଡିକାଲକୁ ପଠାଇଦେଇଛନ୍ତି । ଅନ୍ଯପଟେ ଶିଶୁପୁତ୍ରଟିକୁ ବି ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଫୁଲବାଣୀ ଟାଉନଥାନାରେ ଶିଶୁପୁତ୍ରର ପରିବାର ଅଭିଯୋଗ କରିଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏତେ ଏଭଳି ପ୍ରଶ୍ନ ଉଠୁଛି ଏଭଳି ସଂଘାତିକ ତ୍ରୁଟି ପଛରେ ଦାୟୀ କିଏ । ଶିଶୁପୁତ୍ର ବଦଳରେ ଶିଶୁକନ୍ଯାକୁ କିଏ କଲା ରେଫର ? ରେଫର ଆଗରୁ କାହିଁକି ଭଲଭାବରେ ତର୍ଜମା କରାଯାଇନଥିଲା ? ଏନଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।