କାହିଁକି ଦୁର୍ବଳ ହୋଇଗଲା ଭୀଷଣ ବାତ୍ୟା ଦାନା ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ..

1 min read

ଭୁବନେଶ୍ୱର: କାହିଁକି ଦୁର୍ବଳ ହୋଇଗଲା ଭୀଷଣ ବାତ୍ୟା ଦାନା ? ଦୀର୍ଘ ସମୟ ପର୍ଯ୍ୟନ୍ତ କାହିଁକି ଚାଲିଲା ଲ୍ୟାଣ୍ଡଫଲ ? ୨୪ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ ଡେଷ୍ଟିନେସନ କାହିଁକି ସ୍ପଷ୍ଟ କରିପାରିଲା ନାହିଁ ଆଇଏମ୍‌ଡି ? ରେଡ ଆଲର୍ଟ ଦେବା ପରେ ବି କାହିଁକି ହେଲାନି ମୂଷଳ ବର୍ଷା? ଆକଳନ ଅନୁସାରେ ବାରମ୍ବାର କାହିଁକି ଦିଗ ବଦଳାଇଲା ବାତ୍ୟା ? ଆଣ୍ଟି ସାଇକ୍ଳୋନ୍ ବାତ୍ୟାର ବାଟ ଓଗାଳିବ ବୋଲି କାହିଁକି ଜାଣି ପାରିଲାନି ଭାରତୀୟ ପାଣିପାଗ ବିଭାଗ ? ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣବାତ୍ୟା ଦାନା ପ୍ରଭାବ ଶୂନ୍ୟ ହେବା ପରେ ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି । ବାତ୍ୟାଟି ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ଉପକୂଳରେ ମାଡ ହେବ ବୋଲି ପୂର୍ବାନୁମାନ କରିଥିଲା ଆଇଏମ୍‌ଡି । ପବନ ସହ ଉତ୍ତର ଉପକୂଳ ଓଡ଼ିଶାରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ ହୋଇଥିଲା। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକମାନଙ୍କୁ ରାଜ୍ୟ ସରକାର ମଧ୍ୟ ସତର୍କ କରାଇଥିଲେ। କିନ୍ତୁ ସେମିତି କିଛି ହେଲାନି । ଆଇଏମ୍‌ଡିର କହିବା କଥା ଦୁଇଟି ଆଣ୍ଟିସାଇକ୍ଳୋନ ସିଷ୍ଟମ ପାଇଁ ବାତ୍ୟା ଦୁର୍ବଳ ହେଲା । ଆକଳନ ଅନୁସାରେ ସଠିକ ସ୍ଥାନରେ ଲ୍ୟାଣ୍ଡଫଲ କରିଛି ।

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୯ଘଣ୍ଟା ଚାଲିଥିଲା । ଗତରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ସକାଳ ୯ଟାରେ ସରିଥିଲା ପ୍ରକ୍ରିୟା।ବାତ୍ୟାର ବାମ ପାର୍ଶ୍ୱରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ଅଧିକ ରହିଥିଲା । ଫଳରେ ବାତ୍ୟାଟି ଅଧିକ ଶକ୍ତିଶାଳୀ ନ ହୋଇ ଦୁର୍ବଳ ହୋଇଗଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁଇଟି ଆଣ୍ଟି ସାଇକ୍ଳୋନ୍ ମଧ୍ୟ ବାତ୍ୟାଟିକୁ ଅଟକାଇ ଦେଇଥିଲେ । ଫଳରେ ବାତ୍ୟାର ବାହ୍ୟ ବଳୟରେ ପ୍ରଚୁରମାତ୍ରାରେ ବାଦଲ ରହିଥିଲେ ମଧ୍ୟ ତାହା ବର୍ଷା କରାଇବାରେ ସହାୟକ ହେଲେନାହିଁ । ଏପରିକି ବାତ୍ୟା ବାରମ୍ବାର ତାର ଗତିପଥ ପରିବର୍ତ୍ତନ ମଧ୍ଯ କରିଥିଲା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।