ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ସମୀକ୍ଷା ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଆଗକୁ ସେ କହିଛନ୍ତି, ଯେଉଁ ସବୁ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ତାହା ଅପରାହ୍ନ ଗୋଟାଏ ସୁଦ୍ଧା ହଟାଯିବ । ବିଦ୍ଯୁତ ଯୋଗାଣ ସନ୍ଧ୍ଯା ସୁଦ୍ଧା ସ୍ବାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ଯ କରାଯାଉଛି । ଭୁବନେଶ୍ବର ବିମାନବନ୍ଦରରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଛି । ବାତ୍ଯା ପାଇଁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀଙ୍କ ମଧ୍ଯରୁ ଗତକାଲି ୧୬ ଶହ ମହିଳା ନବଜାତଙ୍କୁ ଜନ୍ମ ଦେଇଛନ୍ତି । ସମସ୍ତ ମାଆ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି ।

ବାତ୍ଯାର ସଫଳ ମୁକାବିଲା ପାଇଁ ଜନସାଧାରଣଙ୍କ ସହ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ।