ଇଣ୍ଡୋନେସିଆରେ ରୋହିଙ୍ଗ୍ୟା ମୁସଲିମଙ୍କୁ ବିରୋଧ, ଡଙ୍ଗାରୁ ଓହ୍ଲାଇ ଦେଲେନି

ନୂସାନତାରା: ବିପୁଳ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା ମୁସଲିମ  । ୧୪୦ ଜଣ ଭୋକିଲା ରୋହିଙ୍ଗ୍ୟା ମୁସଲିମ ଇଣ୍ଡୋନେସିଆର ଉତ୍ତର ପ୍ରାନ୍ତରେ ଓହ୍ଲାଇବା ପାଇଁ ପ୍ରୟାସ କରୁଥିବାବେଳେ ତାଙ୍କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା  ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ବାଂଲାଦେଶ କକ୍ସ ବଜାରରୁ ଇଣ୍ଡୋନେସିଆର ଦକ୍ଷିଣ ଆଚେ ଜିଲ୍ଲା ଲାବୁହାନ ତଟକୁ ଆସିଥିଲେ ରୋହିଙ୍ଗ୍ୟା  । ପାଖାପାଖି ଦୁଇ ସପ୍ତାହ ଜଳଯାତ୍ରା ପରେ ଡଙ୍ଗାରେ ହିଁ ତିନି ଜଣ ରୋହିଙ୍ଗ୍ୟାଙ୍କ ଭୋକ ଉପାସରେ ପ୍ରାଣ ଚାଲିଯାଇଥିଲା  । ୧୧ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।

ପୋଲିସ ସୂଚନା ଅନୁସାରେ ଯେତେବେଳେ ଡଙ୍ଗା ବାଂଲାଦେଶରୁ ବାହାରି ଥିଲା ସେତେବେଳେ ଡଙ୍ଗାରେ ୨୧୬ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ଇଣ୍ଡୋନେସିଆର ରିଆଉ ପ୍ରାନ୍ତରେ ଓହ୍ଲାଇ ପଡିଥିଲେ । ଆଚେ ପୋଲିସ ମଣିଷ ତସ୍କରୀ ଅଭିଯୋଗରେ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି  ।

ମିଆଁମାର ଶରଣାର୍ଥୀ ଭାବେ ବାଂଲାଦେଶରେ ପାଖାପାଖି ୭ ଲକ୍ଷରୁ ଊର୍ଦ୍ଧ୍ବ ରୋହିଙ୍ଗ୍ୟା ବସବାସ କରନ୍ତି  । ୨୦୧୭ରେ ମିଆଁମାରରେ କ୍ରୁର ହିଂସା ପରେ ସେମାନେ ସେଠାରୁ ପଳାଇ ଆସିଥିଲେ  । ମିଆଁମାରରେ ରୋହିଙ୍ଗ୍ୟା ଅଳ୍ପସଂଖ୍ୟକଙ୍କ ସହ ଭେଦଭାବ କରାଯିବା ସହ ଅଧିକାଂଶଙ୍କୁ ନାଗରିକତା ମିଳିନଥିଲା  ।

ଥାଇଲ୍ୟାଣ୍ଡ ଓ ମାଲେସିଆ ଭଳି ଇଣ୍ଡୋନେସିଆ ମଧ୍ୟ ସଂଯୁକ୍ତ ରାଷ୍ଟ୍ରର ୧୯୫୧ ଶରଣାର୍ଥୀ ସମ୍ମିଳନୀରେ ହସ୍ତାକ୍ଷରକର୍ତ୍ତା ନୁହେଁ  । ଯାହାଦ୍ବାରା ସେମାନେ ଶରଣାର୍ଥୀଙ୍କୁ ସ୍ବୀକାର କରିବା ପାଇଁ ବାଧ୍ୟ ନୁହେଁ  । ସାଧାରଣତଃ ସଂକଟରେ ଫସିଥିବା ଶରଣାର୍ଥୀଙ୍କୁ ଅସ୍ଥାୟୀ ଆଶ୍ରମ ପ୍ରଦାନ କରିଥାଏ  ।