ବାତ୍ଯା ଆସିଲେ ମନେପଡେ ନବୀନ ମଡେଲ, ଦେଶ ଓ ବିଦେଶରେ ସୁପରହିଟ ଫର୍ମୁଲା

1 min read

ଭୁବନେଶ୍ୱର : ବାତ୍ଯା ଆସିଲେ ମନେପଡେ ନବୀନ ମୁକାବିଲା ମଡେଲ । କାରଣ ବିଜେଡି ସରକାର ଅମଳରେ ତତ୍କାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପରହିଟ ବାତ୍ଯା ମୁକାବିଲା ଫର୍ମୁଲା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ଯ ପ୍ରଶଂସା ସାଉଁଟିଛି । ନବୀନଙ୍କ ନେତୃତ୍ବରେ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ଓଡିଶା ସଫଳ ମୁକାବିଲା କରିପାରିଛି । ନବୀନଙ୍କ ଦୂରଦୃଷ୍ଟି ପାଇଁ ଏସବୁ ସମ୍ଭବ ହୋଇଛି  । ନବୀନଙ୍କ ଜିରୋ କାଜୁଆଲ୍ଟି ଆଜି ସମସ୍ତେ ଗ୍ରହଣ କରିଛନ୍ତି  । ନୂଆ ସରକାର ବି ନବୀନଙ୍କ ମଡେଲକୁ ଅନୁସରଣ କରିବାକୁ ବିଜେଡି ବିଧାୟକ ସାରଦା ଜେନା ପରାମର୍ଶ ଦେଇଛନ୍ତି  ।

ସେହିପରି ସମ୍ଭାବ୍ୟ ବାତ୍ୟା ନେଇ ବରିଷ୍ଠ ବିଜେଡି ନେତା ଶଶି ଭୂଷଣ ବେହେରା ପ୍ରତିକ୍ରିୟାରେ କହିଛନ୍ତି, ନୂଆ ସରକାର ପୂର୍ବ ସରକାରଙ୍କ ଅନେକ କଥାକୁ ଅନୁକରଣ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ପୂରା ବିଶ୍ୱକୁ ବାଟ ଦେଖାଇଛି l ବର୍ତ୍ତମାନ ବାତ୍ୟା ଆସିବାର ଅଛି l ପୂର୍ବ ସରକାର ଯେଉଁଭଳି ବାତ୍ୟାର ମୁକାବିଲା କରିଥିଲେ ନୂଆ ସରକାର ମଧ୍ୟ ତାହାକୁ ଅନୁକରଣ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି  ।

ସେପଟେ ନବୀନଙ୍କ ମଡେଲକୁ ପ୍ରଶଂସା କରିଛନ୍ତି ବରିଷ୍ଠ ରାଜନେତା ସୁରେଶ ରାଉତରାୟ । ବାତ୍ୟା ମୁକାବିଲା କରିବାରେ ନବୀନ ମଡେଲ ସବୁବେଳେ କାମ କରୁଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ଯ ସରକାର ଆଲୋଚନା କରନ୍ତୁ । ବାତ୍ୟାକୁ ସଫଳତାର ସହ ମୁକାବିଲା କରାଯାଉ  । ବିଜେପି ସରକାର ନବୀନଙ୍କ ସବୁ ଯୋଜନାକୁ ଅନୁକରଣ କରିଛି ।

ତେଣୁ ବାତ୍ୟାର ସଫଳ ମୁକାବିଲା ଲାଗି ସମସ୍ତେ ମିଶି ସଫଳତାର ସହ ମୁକାବିଲା କରିବାକୁ ସେ ଆହ୍ବାନ ଦେଇଛନ୍ତି  । ଅନ୍ଯପଟେ ବିଜେପି ମଧ୍ଯ ନବୀନ ମଡେଲକୁ ସ୍ବୀକୃତି ଦେଇଛି । ବିଜେପି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି, ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲାରେ ବେଶ ନାଁ କରିଛି l ବାତ୍ୟା ହେବ କି ନହେବ ତାହା ଜଣା ନାହିଁ l କିନ୍ତୁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ହୋଇ ଅଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଫକୀର ମୋହନ ନାୟକ ।