“ହିମାଂଶୁ ସାହୁ ବିଧାୟକ ହେବା ପରେ ଧର୍ମଶାଳାରେ ଅରାଜକତା ସୃଷ୍ଟି ହୋଇଛି”: ନୀଳମାଧଵ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଅଣ୍ଡା ମାଡ଼ ପ୍ରସଙ୍ଗରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ନେତା ନୀଳମାଧଵ ମହାନ୍ତି । ହିମାଂଶୁ ସାହୁ ଯେବେଠୁ ବିଧାୟକ ଭାବେ ଜିତିଲେଣି ଧର୍ମଶାଳାରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି । ଲୋକେ ସେ କଥା ଜାଣି ସାରିବାରୁ ସେ କ୍ଷମା ମାଗିଥିବା ସେ କହିଛନ୍ତି । ଅନ୍ୟ ନିର୍ବାଚନ ମଣ୍ଡଳୀରେ ତ ଏଭଳି ସ୍ଥିତି ସୃଷ୍ଟି ହେଉ ନାହିଁ । ଯେଉଁ ଦିନ ଏହି ଘଟଣା ଘଟିଲା ସେହି ଦିନ ଏ କଥା କିଏ କରିଛି ଜାଣି ନ ଥିବା କହିଥିଲେ ବିଧାୟକ ହିମାଂଶୁ ସାହୁ। କିନ୍ତୁ ସେହିଦିନ ଏ କଥାକୁ ସ୍ୱୀକାର କରି କ୍ଷମା ମାଗି ନ ଥିଲେ ।

ତେଣୁ ଏବେ ଲୋକେ ତାଙ୍କ ଉଦ୍ଦେଶ୍ୟ ଜାଣି ଯିବାରୁ ବିଧାୟକ କ୍ଷମା ମାଗିଥିବା କହିଛନ୍ତି ନୀଳମାଧଵ ମହାନ୍ତି । ଏପରିକି ବିଧାୟକ ଚାନ୍ଦା ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି । ବିଧାୟକ ବିଜେଡିର ଯୁବ ଛାତ୍ରଙ୍କ ଧର୍ଯ୍ୟର ପରୀକ୍ଷା ନ ନିଅନ୍ତୁ। ନ ହେଲେ ବିଜେଡି ଯୁବ ଛାତ୍ରଙ୍କ ପାଖରେ ବିଭିନ୍ନ ପ୍ରକାର ଅଣ୍ଡା ଅଛି ବୋଲି ଚେତାବନୀ ଦେଇଛନ୍ତି ନୀଳମାଧଵ ମହାନ୍ତି। ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ବିଜେଡି ଯୁବ, ଛାତ୍ର ଓ ମହିଳା ଏହାର କଡ଼ା ଜବାବ ଦେବେ ଓ ଏଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସେ କହିଛନ୍ତି। ଧର୍ମଶାଳାରେ ଜିତିବା ପରେ ଅଞ୍ଚଳର ବିକାଶ ନ କରି ଜଣଙ୍କ ଉପରେ ଆକ୍ରୋଶ ରଖି କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ କହିଛନ୍ତି ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ନୀଳମାଧଵ ମହାନ୍ତି।