କେନାଲରେ ପଡ଼ିଥିବା ବଲ କାଢ଼ିବାକୁ ଯାଇ ବୁଡ଼ିଗଲେ ୩ ନାବାଳକ

ବାରିପଦା: କେନାଲରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ବୁଡି ଏମାନଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ମଦନ ମୋହନ ସାହୁ, ଶ୍ରେୟାଂଶୁ ସାହୁ ଏବଂ ସାଇ ଶଙ୍କର ସାହୁ ।

ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଖେଳୁଥିବା ସମୟରେ ବଲ କେନାଲ ପାଣିରେ ପଡିଯାଇଥିଲା । ବଲ୍ ଆଣିବାକୁ ଯାଇ ତିନି ନାବାଳକ ବୁଡି ଯାଇଥିଲେ । ପହଁରା ଜାଣି ନଥିବାବେଳେ ହାତ ଧରାଧରି ହୋଇ ବଲ କାଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସି ଯାଇ ପାଣିରେ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପାଖରେ ଥିବା ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ସିର୍ସା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।