ଜେଲରୁ ବାହାରିବା ପରେ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ଆପ ନେତା ସତ୍ୟେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍ ଜେଲରୁ ବାହାରିବା ପରେ ଆଜି ଜୈନ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ସରସ୍ଵତୀ ବିହାରରେ ଥିବା ମନ୍ଦିରକୁ ସେ ନିଜ ପତ୍ନୀଙ୍କ ସହିତ ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ମନି ଲଣ୍ଡ୍ରିଂ ମାମଲାରେ ୨୦୨୨ ମେ’ ମାସରେ ତାଙ୍କୁ ଗିରଫ କରିଥିଲା ଇଡି । ୧୮ ମାସ ଜେଲରେ ରହିବା ପରେ ତାଙ୍କୁ ଗତକାଲି ଜାମିନ ମିଳିଥିଲା ଓ ସେ ଜେଲରୁ ବାହାରିଛନ୍ତି । ଆପ୍ ତରଫରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା ।

ଜାମିନ ପ୍ରଦାନ ବେଳେ କୋର୍ଟ କହିଥିଲେ, ଏତେ ଦିନ ପରେ ମଧ୍ୟ ମାମଲାର ଫଇସଲା ଆସିବା ତ ଦୂରର କଥା ଶୁଣାଣି ବି ଆରମ୍ଭ ହୋଇନାହିଁ । ତେଣୁ ସତ୍ୟେନ୍ଦ୍ର ଜୈନଙ୍କୁ ଅଧିକ ଦିନ ବିନା କାରଣରେ ଜେଲରେ ରଖାଯାଇ ପାରିବ ନାହିଁ ।

ଗିରଫ ହେବା ପୂର୍ବରୁ ସତ୍ୟେନ୍ଦ୍ର ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ । ମନ୍ତ୍ରୀ ଥିବା ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା । ଆଜି ସତ୍ୟେନ୍ଦ୍ର କହିଛନ୍ତି, ଯଦି ଦେଶରେ ଗଣତନ୍ତ୍ର ନଥାନ୍ତା, ତେବେ ବିଜେପି ସରକାର ମତେ ବୋଧହୁଏ ଫାଶୀ ଦେଇଥାନ୍ତା । ଆପ୍ ଯେଉଁ ପରିବର୍ତ୍ତନ ଆଣିଛି, ତାକୁ ବନ୍ଦ କରିବାକୁ ସେମାନେ ଆମର ନେତାଙ୍କୁ ଜେଲରେ ଭର୍ତ୍ତି କରିଥିଲେ । ଆମ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଜେଲରେ ମରୁ ମରୁ ମୁଁ ବଞ୍ଚି ଯାଇଛି ବୋଲି କହିଛନ୍ତି ସତ୍ୟୋନ୍ଦ୍ର ।