ହବିଷ୍ୟାଳିଙ୍କୁ ବିଷ ଖାଇ ମରିଯିବାକୁ କହୁଛନ୍ତି ସରକାରୀ କର୍ମଚାରୀ, ବଡ଼ଦାଣ୍ଡରେ ବସିଲେ ଧାରଣାରେ

ପୁରୀ: କାର୍ତ୍ତିକ ମାସର ପ୍ରଥମ ଦିନରେ ବି ହବିଷ୍ଯାଳିଙ୍କୁ ହନ୍ତସନ୍ତ କରିଛନ୍ତି ରାଜ୍ଯ ସରକାର । ଶିବିରରେ ରହିବାକୁ ଜାଗା ମାଗିଲେ ସରକାରୀ କର୍ମଚାରୀ ଦେଉଛନ୍ତି କଟୁ ମନ୍ତବ୍ଯ । ବିଷ ଖାଇ ମରିଯାଉନ ବୋଲି ବ୍ରତଧାରୀ ମାଆଙ୍କୁ କହୁଛନ୍ତି ସରକାରୀ କର୍ମଚାରୀ । ଏଭଳି ସାଂଘାତିକ ଅଭିଯୋଗ ଆଣି ବଡ଼ଦାଣ୍ଡରେ ଧାରଣା ଦେଇଛନ୍ତି ଶହ ଶହ ହବିଷ୍ଯାଳି ।

ସକାଳେ ସବୁ ହବିଷ୍ଯାଳି ମାଆଙ୍କୁ ଥଇଥାନର ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ହେଲେ ଏଯାଏଁ କାହାକୁ ବି କୌଣସି ସ୍ଥାନରେ ରଖାଯାଇନି । ଓଲଟି କର୍ମଚାରୀମାନେ ଦୁର୍ବ୍ଯବହାର କରୁଛନ୍ତି । ବ୍ରତଧାରୀଙ୍କ ଅଭିଯୋଗ ଅନୁସାରେ, ସବୁ ପ୍ରକାର ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ପରିବର୍ତ୍ତୀ ସମୟରେ କର୍ମଚାରୀମାନେ ଦୁର୍ବ୍ଯବହାର କରିଥିଲେ । ଜିନିଷପତ୍ରରେ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ ।

ଏପଟେ ଘଟଣାରେ ହସ୍ତକ୍ଷେପ କରିଥିବା ନେଇ ନିଜେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଓ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି । ହେଲେ ବାସ୍ତବ ସ୍ଥିତି କିନ୍ତୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ସରକାରଙ୍କ ମିଛକୁ ପଦାରେ ପକାଇ ଦେଇଛନ୍ତି ହବିଷ୍ଯାଳୀ ମାଆ । କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ଯାଳି ଯୋଜନାରେ ମାଆମାନେ ପୁରୀ ଆସିଛନ୍ତି । ହେଲେ ରାଜ୍ଯ ସରକାରଙ୍କ ୨୫ ଶହ କଣ୍ଟ ପୂରିଯାଇଥିବାରୁ ହବିଷ୍ଯାଳିଙ୍କୁ ଫେରାଇ ଦେଉଛି ପ୍ରଶାସନ । ଗତବର୍ଷ ଗୁଡ଼ିକରେ ୩ ହଜାରରୁ ଅଧିକ ହବିଷ୍ଯାଳି ଯୋଜନାରେ ଉପକୃତ ହେଉଥିଲେ । ହେଲେ ଏଥର ସଂଖ୍ଯା ବଢିବା ବଦଳରେ କାହିଁକି କମ କରାଗଲା ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବ୍ରତଧାରୀ ମାଆ ।

‘ଏ ସରକାରକୁ ଜଗନ୍ନାଥ ବି କ୍ଷମା କରିବେନି’

ହବିଷ୍ଯାଳିଙ୍କ ଦୁର୍ଦ୍ଦଶାକୁ ନେଇ ବର୍ଷିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଜଗା ପାଖକୁ ଆସି ହବିଷ୍ୟାଳି ଦୁଃଖରେ କାନ୍ଦୁଛନ୍ତି ବୋଲି କହିବା ସହିତ ନବୀନଙ୍କ ସମୟରେ ହବିଷ୍ୟାଳିଙ୍କ ଯତ୍ନ ନିଆଯାଉଥିଲା ବୋଲି କହିଛନ୍ତି । ନବୀନଙ୍କ ଅମଳରେ ସବୁ ହବିଷ୍ଯାଳି ସୁବିଧାରେ ରହି ହବିଷ ପାଳୁଥିଲେ । ବିଜେପି ସରକାର ହବିଷ୍ୟାଳିଙ୍କ ଆଖିରେ ଲୁହ ଦେଇଛି । ମାଆଙ୍କୁ ଦୁଃଖ ଦେଇଥିବା ଏ ସରକାରକୁ ଜଗନ୍ନାଥ ବି କ୍ଷମା କରିବେନି । ମୁଖ୍ୟମନ୍ତ୍ରୀ ମୁମ୍ବାଇ ଛାଡ଼ି ଆସି ଓଡ଼ିଶା କଥା ବୁଝନ୍ତୁ ବୋଲି ସେ କଟାକ୍ଷ କରିଛନ୍ତି ସାଲୁଜା ।