ହକିଷ୍ୟାଳିଙ୍କ ଭକ୍ତି ଆଗରେ ମୁଣ୍ଡ ନୁଆଁଇଲା ସରକାର

ପୁରୀ: ଧର୍ମମାସରେ ବ୍ରତଧାରୀଙ୍କୁ ରାଜ୍ୟ ସରକାର ହନ୍ତସନ୍ତ କରିବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ । ଲୋକଙ୍କ ଆକ୍ରୋସକୁ ଦେଖି ନଇଁଲେ ରାଜ୍ୟ ସରକାର । ଘଟଣାସ୍ଥଳକୁ ପୁରୀ ଜିଲ୍ଲାପାଳ ଯାଇ ସମସ୍ତଙ୍କୁ ଥଇଥାନ କରିବାକୁ ଦେଲେ ନିର୍ଦ୍ଦେଶ । ଏପଟେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରବଳ ବର୍ଷିଛି ବିଜେଡି । ବିଜେଡି କହିଛି ରାଜ୍ୟ ସରକାର ବିନାଶ ଭିତରେ ନିଜ ଗୋଡ଼ ପକାଇ ସାରିଲେଣି । ଖୋଦ ବିଜେପି ନେତା ବି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗୁରୁବାର ଦିନ ତ ଦିନ ରାତିସାରା ବି ହନ୍ତସନ୍ତ ହେଲେ ହବିଷ୍ଯାଳି । ଧାରଣାରେ ବସିଲେ, ଖୋଲା ଆକାଶ ତଳେ ରାତି ବିତାଇଲେ । କେତେ ପ୍ରତିବାଦ କଲେ, କାକୁତିମିନତି ହେଲେ । ତଥାପି ନା ପ୍ରଶାସନ ଶୁଣିଲା ନା ସରକାର । ୨୪ ଘଣ୍ଟା ଧରି ପବିତ୍ର ପୁରୀରେ ନିର୍ଯାତିତ ହେଲେ ବ୍ରତଧାରୀ ମାଆ । ସାରା ରାଜ୍ୟରେ ଘଟଣାକୁ ନେଇ ପ୍ରକାଶ ପାଇଲା ଉଦବେଗ । ଶେଷରେ ଶ୍ରୀକ୍ଷେତ୍ରରେ ଶୀତ କାକରରେ ରାତିଏ ପଡ଼ିବା ପରେ ଆଜି ହବିଷ୍ଯାଳିଙ୍କ ଜିଦ୍ ଆଗରେ ନଇଁଛି ପୁରୀ ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ ବୃନ୍ଦାବତୀ ନିବାସକୁ ଆସି ସ୍ଥିତି ସମୀକ୍ଷା କରି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ରହିବା ପରେ ହବିଷ୍ୟାଳି ଖୁସି ପ୍ରକାଶ କରିଛନ୍ତି । ହେଲେ କ୍ଷୋଭ ଭରା କଣ୍ଠରେ ପଚାରିଛନ୍ତି, ଆରମ୍ଭରୁ ଏହି କାମଟି କରିଥିଲେ କେଡେ ସୁନ୍ଦର ହୋଇଥାନ୍ତା ?

ପବିତ୍ର କାର୍ତ୍ତିକ ମାସରେ ବ୍ରତଧାରୀଙ୍କୁ ନିର୍ଯାତନା ଦିଆଟିବାକୁ ନେଇ ବର୍ଷିଛି ବିଜେଡି । ବିଜେଡି କହିଛି, ଓଡ଼଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପି ସରକାରର ପ୍ରକୃତ ମୁଖା ଖୋଲିଯାଇଛି । ହବିଷିଆଳିଙ୍କ ବିଶ୍ବାସ, ପ୍ରଥା ଉପରେ ରାଜ୍ଯ ସରକାର କୁଠାରାଘାତ କରିଛନ୍ତି । ନବୀନଙ୍କ ନେତୃତ୍ବରେ ୩୯ କୋଟି ଟଙ୍କା ବ୍ୟୟରେ ବୃନ୍ଦାବତୀ ନିବାସ ନିର୍ମାଣ ହୋଇଥିଲା । କିନ୍ତୁ ବିଜେପି ସରକାର ମାତ୍ର ୨୫ ଶହ ହବିଷ୍ୟାଳିଙ୍କ ପାଇଁ ବ୍ଯବସ୍ଥା କରି ଅନ୍ୟ ବ୍ରତଧାରୀଙ୍କୁ ପୁରୀରୁ ତଡ଼ି ଦେଉଛନ୍ତି । ବିନାଶ ଭିତରେ ସରକାର ନିଜ ଗୋଡ଼ ପକାଇ ସାରିଲେଣି ବୋଲି କହି ସମାଲୋଚନା କରିଛି ବିଜେଡି । ଏପଟେ ପ୍ରଶାସନ ଚେତିବାରେ କାହିଁକି ଏତେ ବିଳମ୍ବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ ।

ପ୍ରଶ୍ନ ଉଠୁଛି ଏଥର କାହିଁକି ଯୋଜନାରେ ସଂଖ୍ୟା କମାଇ ଦେଲେ ରାଜ୍ଯ ସରକାର ? ଗତକାଲି ଦିନସାରା ହବିଷ୍ୟାଳି ହନ୍ତସନ୍ତ ହେଉଥିବା ବେଳେ କାହିଁକି ପଦକ୍ଷେପ ନେଲେନି ପ୍ରଶାସନ ? ଆବେଦନ ପାଇଁ ୱେବସାଇଟ କାହିଁକି ଠିକରେ କାମ କରୁ ନଥିଲା ? ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ପାଇଁ କିଏ ଦାୟୀ ? ଏସବୁ ପ୍ରଶ୍ନ ଭିତରେ ଆଜିଠୁ ହବିଷ୍ୟାଳି ଆରମ୍ଭ କରିଛନ୍ତି ପବିତ୍ର କାର୍ତ୍ତିକ ବ୍ରତ ।

ସେପଟେ ହବିଷ୍ଯାଳି ସମସ୍ୟା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ହବିଷ୍ଯାଳିଙ୍କ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ସେଥିପାଇଁ ଆଗୁଆ ପଞ୍ଜିକରଣ ବ୍ୟବସ୍ଥା ହୋଇଥିଲା । ପରେ ଯେଉଁମାନେ ଆସିଥିଲେ ସେମାନଙ୍କ ପାଇଁ ବି ବ୍ୟବସ୍ଥା ହୋଇଛି । ହେଲେ ହଠାତ ଅଧିକ ହବିଷ୍ଯାଳି ଆସି ଯାଇଥିବାରୁ ସମସ୍ୟା ହେଉଛି । ଏହାକୁ ଜିଲ୍ଲା ପ୍ରଶାସନ ତଦାରଖ କରିବା ସହ ସେମାନଙ୍କ କଥା ବୁଝିବ ବୋଲି ଆଶା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।