ମହାରାଷ୍ଟ୍ରରେ ଛିଡୁନି ଭାଗବଣ୍ଟା, ରାହୁଲଙ୍କ ସହାୟତା ଲୋଡିବ ଶିବସେନା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ସିଟ୍ ବାଣ୍ଟିବା ନେଇ ଶିବସେନା ଏକ ବଡ଼ ନିଷ୍ପତ୍ତି ନେଇଛି। ଉଦ୍ଧବ ଠାକରେଙ୍କ ଦଳ ବର୍ତ୍ତମାନ କଂଗ୍ରେସ ହାଇକମାଣ୍ଡଙ୍କ ସହ ସିଧାସଳଖ ଆସନ ବାଣ୍ଟିବା ନେଇ ଚୁକ୍ତି କରିବ। ଉଦ୍ଧବ ଠାକରେଙ୍କ ନେତା ସଞ୍ଜୟ ରାଉତ ଖୁବ ଶୀଘ୍ର ରାହୁଲ ଗାନ୍ଧୀଙ୍କ ସହ ଏ ବିଷୟରେ ଆଲୋଚନା କରିବେ।

ସଞ୍ଜୟ ରାଉତଙ୍କ କହିବାନୁସାରେ, ମହାରାଷ୍ଟ୍ରରେ କଂଗ୍ରେସ ନେତାମାନେ ଆସନ ବଣ୍ଟନ ନିଷ୍ପତ୍ତି ସଠିକ ଭାବେ ନେଇପାରୁନାହାଁନ୍ତି। ନାମାଙ୍କନ ତାରିଖ ପାଖେଇ ଆସିଛି। ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ସହ ସିଧାସଳଖ କଥା ହେବୁ। କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ସହ ରାଉତ ଏହା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ମୁମ୍ବାଇରେ ସାମ୍ବାଦିକସମ୍ମିଳନୀରେ ରାଉତ କହିଛନ୍ତି ଯେ ଉଭୟ ଦଳ କିଛି ଆସନରେ ସହମତ ହେବାକୁ ପ୍ରସ୍ତୁତ ନୁହଁନ୍ତି। ଆମେ ଏ ବିଷୟରେ ରାହୁଲଜୀଙ୍କ ସହିତ କଥା ହେବୁ  । ମହାରାଷ୍ଟ୍ର ନେତାମାନେ ପ୍ରତ୍ୟେକ ଆସନ ବିଷୟରେ ଦିଲ୍ଲୀକୁ ପଚାରୁଛନ୍ତି, ଯେଉଁଥିପାଇଁ ସମୟ ନଷ୍ଟ ହେଉଛି। ରାଉତଙ୍କ ଅନୁଯାୟୀ ଶିବସେନା ଏବଂ ଏନସିପି ମଧ୍ୟରେ ସିଟ୍ ବଣ୍ଟନ ପ୍ରସଙ୍ଗ ସମାଧାନ ହେଇସାରିଛି ।

ମୁମ୍ବାଇ ଏବଂ ବିଦର୍ଭ ଅଞ୍ଚଳର ଆସନକୁ ନେଇ ଶିବସେନା ଏବଂ କଂଗ୍ରେସ ମଧ୍ୟରେ କଳହ ଲାଗି ରହିଥିବା ବେଳେ ଶିବସେନା ବିଦର୍ଭ ଅଞ୍ଚଳରେ ଅଧିକ ଆସନ ଦାବି କରୁଛି। ଏଥି ସହିତ ମୁମ୍ବାଇର ଏହି ଆସନଗୁଡିକ ଉପରେ କଂଗ୍ରେସର ମଧ୍ୟ ନଜର ରଖିଛି । ମୁମ୍ବାଇରେ ୩୬ଟି ବିଧାନସଭା ଆସନ ଅଛି ଏବଂ ଶିବସେନା ଏଠାରେ ଅତି କମରେ ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି । ସେହିଭଳି ଶିବସେନା ମଧ୍ୟ ନାଗପୁର ଏବଂ ଅମ୍ରାବତୀରେ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁଛି ହେଲେ ଏହି ନିଷ୍ପତ୍ତିକୁ କଂଗ୍ରେସ ଗ୍ରହଣ କରିବାକୁ ନାରାଜ ।

ଆସନ ବାଣ୍ଟିବା ବିବାଦର ସମାଧାନ ପାଇଁ ଶିବସେନା, ଏନସିପି ଏବଂ କଂଗ୍ରେସ ସଦସ୍ୟ କମିଟି ଗଠନ କରିଥିଲେ। ଏହି କମିଟିରେ କଂଗ୍ରେସର ନାନା ପାଟୋଲ, ଶିବସେନାର ସଞ୍ଜୟ ରାଉତ ଏବଂ ଏନସିପିର ଜୟନ୍ତ ପାଟିଲ ଅଛନ୍ତି। ନିକଟରେ ଏହି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ   ସଞ୍ଜୟ ରାଉତ ଏବଂ ନାନା ପାଟୋଲଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା।

ମହାରାଷ୍ଟ୍ରର ୨୮୮ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ପ୍ରସ୍ତାବ ଦିଆଯାଇଛି। ସରକାର ଗଠନ ପାଇଁ ଯେକୌଣସି ଦଳକୁ ଅତି କମରେ ୧୪୫ଟି ସିଟ୍ ଜିତିବାକୁ ପଡିବ। ରାଜ୍ୟରେ  ୨୦ନଭେମ୍ବରରେ ଭୋଟ୍ ହେବ ଏବଂ ଏହାର ଫଳାଫଳ ୩ଦିନ ପରେ ଅର୍ଥାତ ୨୩ନଭେମ୍ବରରେ ପ୍ରକାଶ ପାଇବ ।