ଦିଲ୍ଲୀରେ ଓଡିଆ ଝିଅକୁ ଗଣବଳାତ୍କାର ଘଟଣା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଓଡିଆ ଝିଅକୁ ଗଣବଳାତ୍କାର ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । କେନ୍ଦ୍ର ଗୃହ ବିଭାଗର ନାକ ତଳେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଗଲା । ସରାଇ କାଲେ ଖାନରେ ୩୪ ବର୍ଷ ବୟସ୍କ ଓଡିଆ ଯୁବତୀଙ୍କୁ ଗଣବଳାତ୍କାର କରାଗଲା । ସେ ଏବେ ଗୁରୁତର ଅବସ୍ଥାରେ ଏମସରେ ଚିକିତ୍ସାଧୀନ । ଅବସ୍ଥା ଏବେ ବି ଉଦବେଗଜନକ । ଯୁବତୀ ଜଣକ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି । ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ । ଏପରି ସ୍ଥିତିରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଦୁର୍ଗା ପୂଜା ଆନନ୍ଦରେ ମାତିଛନ୍ତି । ଏପର୍ଯ୍ୟନ୍ତ ଡବଲ ଇଞ୍ଜିନ ସରକାର କିମ୍ବା ବିଜେପି ପକ୍ଷରୁ ଗୋଟିଏ ଧାଡି ବି ପ୍ରତିକ୍ରିୟା ରଖାଯାଇନି ।ଏଥିରୁ ଯାହା ଜଣାପଡୁଛି ରାଜ୍ଯ ସରକାର ଘଟଣାକୁ ନେଇ ଚିନ୍ତିତ ନାହାଁନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନଜର କରିନାହାଁନ୍ତି । ଏହା କଣ ଓଡିଆ ଅସ୍ମିତା ବୋଲି ରାଜ୍ଯ ସରକାର ଓ ବିଜେପିକୁ ପ୍ରଶ୍ନ କରିଛନ୍ତି ସାଂସଦ ଶୁଭାଶିଷ ଖୁଣ୍ଟିଆ । ଏହି ଘଟଣାରେ ଟିକିନିଖ ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭାଶିଷ । ପୀଡିତାଙ୍କୁ ନ୍ଯାୟ ମିଳିବା ଉଚିତ ଏବଂ ଏହାସହ ତାଙ୍କୁ ସମସ୍ତ ସହଯୋଗ ଓ ଚିକିତ୍ସା ମିଳିବା ଉଚିତ ବୋଲି ଦାବି କରିଛନ୍ତି ଶୁଭାଶିଷ ।