ଲରେନ୍ସ ବିଷ୍ଣୋଇଙ୍କୁ ପପୁ ଯାଦବଙ୍କ ଧମକ; ୨୪ ଘଣ୍ଟାରେ ପୂରା ନେଟଓ୍ବର୍କ ସଫା କରିଦେବି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଓ ୩ ଥରର ବିଧାୟକ ବାବା ସିଦ୍ଦିକୀଙ୍କ ହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧର ଦଳ ସିନ୍ଦେ ସରକାରକୁ ଟାର୍ଗେଟ କରୁଛନ୍ତି । ଏମିତି ସ୍ଥିତିରେ ଲରେନ୍ସ ବିଷ୍ଣୋଇଙ୍କୁ ଖୋଲା ଧମକ ଦେଇଛନ୍ତି ବିହାରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସାଂସଦ ହୋଇଥିବା ପପୁ ଯାଦବ । ପପୁ କହିଛନ୍ତି, ସରକାର ଅନୁମତି ଦେଲେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ପରି ମାମୁଲି ଅପରାଧୀର ପୂରା ନେଟଓ୍ବର୍କକୁ ଶେଷ କରିଦେବି ।

ପୁର୍ଣ୍ଣିୟାରୁ ସାଂସଦ ହୋଇଥିବା ପପୁ ଯାଦବ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ବିବାଦୀୟ ଶବ୍ଦର ବ୍ୟବହାର କରିବା ସହ ଲେଖିଛନ୍ତି, ‘ଏ ଦେଶ ନା ….. ଙ୍କ ସେନା । ଗୋଟିଏ ଅପରାଧୀ ଜେଲରେ ବସି ଚ୍ୟାଲେଞ୍ଜ କରୁଛି, ଲୋକଙ୍କୁ ମାରୁଛି । ହେଲେ ସମସ୍ତେ ମୁଖ ଦର୍ଶକ ସାଜିଛନ୍ତି । ଲରେନ୍ସ ବିଷ୍ଣୋଇ ମୁସେବାଲାକୁ ହତ୍ୟା କରାଇ ଦେଲା, କରଣୀ ସେନା ମୁଖିଆଙ୍କୁ ବି ମରାଇ ଦେଲା । ଏବେ ଉଦ୍ୟୋଗପତି ତଥା ରାଜନେତାଙ୍କୁ ହତ୍ୟା କରାଇ ଦେଲା ।’

ନିଜ ପୋଷ୍ଟରେ ପପୁ, ଲରେନ୍ସଙ୍କୁ ମାମୁଲି ଅପରାଧୀ ବୋଲି କହିବା ସହ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, ଯଦି ଆଇନ ଅନୁମତି ଦେବ, ତେବେ ୨୪ ଘଣ୍ଟାରେ ସେ ଲରେନ୍ସ ବିଷ୍ଣୋଇ ପରି ମାମୁଲି ଅପରାଧୀର ପୂରା ନେଟଓ୍ବର୍କକୁ ଶେଷ କରିଦେବି ।’

ଏହା ପୂର୍ବରୁ ପପୁ ଯାଦବ କରିଥିବା ପୋଷ୍ଟରେ ବାବା ସିଦ୍ଦିକୀଙ୍କୁ ବିହାରର ପୁଅ ବୋଲି କହିଥିଲେ । କାରଣ ବାବା ସିଦ୍ଦିକୀ ବିହାରର । ପରେ ସେ ମୁମ୍ବାଇ ଯାଇ ସେଠାରେ ରାଜନୀତି ଆରମ୍ଭ କରିଥିଲେ । ଏହାସହ ପପୁ ମହାରାଷ୍ଟ୍ରରେ ମହା ଜଙ୍ଗଲରାଜ ଚାଲିଥିବା କହିଥିଲେ ।