ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ: ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ ଉଠାଇବା ପରେ ଚେତିଲେ ସରକାର

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଚେତିଲେ ରାଜ୍ୟ ସରକାର । ସରକାରଙ୍କ ନୀରବତାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ ଉଠାଇବା ସହ ଗଣମାଧ୍ଯମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଘଟଣାକୁ ଗୁରୁତର ସହିତ ନିଆଯାଇଛି । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି, ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି । ବାକି ସବୁ ବ୍ୟବସ୍ଥା କରାଯାଉଥିବା ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ହୋଇଥିଲା । ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ପ୍ରଥମରୁ ଯେତେ ତତ୍ପରତା ପ୍ରକାଶ ପାଇଥିବାର ଥିଲା ସରକାରଙ୍କ ତରଫରୁ ସେତିକି ତତ୍ପରତା ଦେଖିବାକୁ ମିଳି ନଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଏହା ପରେ ରାଜ୍ୟ ସରକାର ଚେତିଥିବା ପରି ମନେ ହେଉଛି ।