ବଢିବାରେ ଲାଗିଛି ବଡଦାଣ୍ଡ ଉଠାଦୋକାନୀଙ୍କ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢିବାରେ ଲାଗିଛି ପୁରୀ ବଡଦାଣ୍ଡ ଉଠାଦୋକାନୀଙ୍କ ଅସନ୍ତୋଷ । ସେମାନଙ୍କ ସହିତ ଅନେକ ଥର ପ୍ରଶାସନର ଆଲୋଚନା ହୋଇଥିଲେ ମଧ୍ୟ ଉଠାଦୋକାନୀ ମହାସଂଘ ନିଜ ଜିଦରେ ଅଟଳ ରହିଛି । ପୂର୍ବ ସରକାର ସମୟରେ ଉଠା ଦୋକାନୀମାନେ ବଡଦାଣ୍ଡରୁ ଉଠିଯିବା ପାଇଁ ମାସିକ ୧୫ ହଜାର ଟଙ୍କା  ଆର୍ଥିକ ରାଶି ନେଉଥିଲେ । ହେଲେ ଗତ ଅଗଷ୍ଟ ମାସରୁ ମାସିକ ସହାୟତା ଆର୍ଥିକ ରାଶି ନେଇ ନାହାନ୍ତି । ଗୃହ ଓ  ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ମଧ୍ୟ ପୁରୀ ଗସ୍ତରେ ଆସି ସେମାନଙ୍କୁ ଥଇଥାନ କରିବା ପାଇଁ ଶ୍ରୀସେତୁ ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାପାଳଙ୍କ  ସହ ଆଲୋଚନା କରିଛନ୍ତି । ହେଲେ ପୂର୍ବଭଳି ବଡଦାଣ୍ଡରେ ଥଇଥାନ କରିବାକୁ ଦାବି କରିଛି ଉଠାଦୋକାନୀ ମହାସଂଘ । ସଂଘର ସମର୍ଥନରେ ଜଣେ ଉଠାଦୋକାନୀ ବଡଦାଣ୍ଡରେ ଧାରଣା ଦେଇଛନ୍ତି।  ଯଦି ସରକାର ସେମାନଙ୍କ ଦାବି ପୁରଣ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ଚେତବାନୀ ଦେଇଛି ।