ବିଜେପିର ନୀତିକୁ ନେଇ ବର୍ଷିଲେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ

1 min read

ବ୍ୟୁରୋ ରିପୋର୍ଟ : ବିଜେପି ଆତଙ୍କବାଦୀଙ୍କ ପାର୍ଟି। ଲୋକଙ୍କୁ ସେମାନେ ପିଟି ପିଟି ମାରିଦିଅନ୍ତି। ଦଳିତଙ୍କ ଉପରେ ପରିସ୍ରା କରନ୍ତି । ଆଦିବାସୀଙ୍କ ଉପରେ ଅତ୍ୟାଚାର କରନ୍ତି, ଦୁଷ୍କର୍ମ କରନ୍ତି। ଏପରି କାମ କରୁଥିବା ଲୋକଙ୍କୁ ବି ସମର୍ଥନ କରନ୍ତି । କିନ୍ତୁ ଅନ୍ୟମାନଙ୍କୁ ଦାୟୀ କରି ନିନ୍ଦା କରନ୍ତି । ଏପରି କିଛି କହି ବିଜେପି ଉପରେ ବର୍ଷିଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ କହିଛନ୍ତି- ଯେଉଁଠି ବିଜେପି ସରକାର ଅଛି, ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି । ବାଂଲାଦେଶରେ ଯାହାସବୁ ଘଟୁଛି ସେଥିରେ ଭାରତର ହିନ୍ଦୁମାନଙ୍କ ଲାଗି ଶିଖିବାର ଆବଶ୍ଯକତା ରହିଛି ବୋଲି ଆରଏସଏସ ସଙ୍ଘ ଚାଳକ ମୋହନ ଭାଗବତ ଯେଉଁ ମନ୍ତବ୍ଯ ଦେଇଥିଲେ ତାହାକୁ ବି ସମାଲୋଚନା କରିଛନ୍ତି ଖଡଗେ।

ମଧ୍ଯପ୍ରଦେଶରେ ମୋହନ ଯାଦବ ସରକାରଙ୍କ ବିରୋଧରେ ୩ ପୂର୍ବତନ ମନ୍ତ୍ରୀ ଓ ୩ ବିଧାୟକଙ୍କ ବିଦ୍ରୋହ ଦଳ ଲାଗି ଚିନ୍ତାର କାରଣ ସାଜିଛି । ସର୍ପାଘାତଜନିତ ମୃତ୍ଯୁ ମାମଲାରେ ଏକ ଏଫଆଇଆରକୁ ପୋଲିସ ନ ରଖିବା ପ୍ରତିବାଦରେ ଇସ୍ତଫା ଦେଇଥିଲେ ଦେଓରି ବିଧାୟକ ବ୍ରିଜ ବିହାରୀ ପାଟେରିଆ। ମଦ ମାଫିଆଙ୍କୁ ପୋଲିସ ଓ ପ୍ରଶାସନ ସୁରକ୍ଷା ଦେଉଥିବା ଅଭିଯୋଗରେ ଇସ୍ତଫା ଦେଇଛନ୍ତି ମାଉଗଞ୍ଜ ବିଧାୟକ ପ୍ରଦୀପ ପଟେଲ। ପ୍ରଦୀପଙ୍କୁ ସମର୍ଥନ କରି ସରକାରଙ୍କ ଉପରେ ବର୍ଷିଥିଲେ ପୂର୍ବତନ ମନ୍ତ୍ରୀ ତଥା ପାଟନ ଏମଏଲଏ ଅଜୟ ବିଷ୍ଣୋଇ । ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ପାଠକ ବି କହିଛନ୍ତି ତାଙ୍କ ନିରାପତ୍ତା ବିପନ୍ନ ଏବଂ ତାଙ୍କର ଆଧାର କାର୍ଡକୁ ଜାଲିଆତି କରାଯାଇଛି । ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଗଢ଼ାକୋଟା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୋପାଳ ଭାର୍ଗବ ବି କହିଛନ୍ତି- ବର୍ତ୍ତମାନ ଦୁଷ୍କର୍ମ ସଂଖ୍ଯା ବଢିଛି । ଲୋକମାନେ ରାବଣ ପୋଡି କରିବାର ଯଥାର୍ଥତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି  ।