ଆମେରିକାରେ ନିର୍ବାଚନ ପ୍ରଚାର ତାତି, ମଧ୍ଯପ୍ରାଚ୍ଯ ଯୁଦ୍ଧ, ଅର୍ଥନୀତି, ଅପରାଧ ମୁଖ୍ଯ ପ୍ରସଙ୍ଗ

1 min read

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ନିର୍ବାଚନ ପ୍ରଚାର ତାତି। ମଧ୍ଯପ୍ରାଚ୍ଯ ଯୁଦ୍ଧ, ଅର୍ଥନୀତି, ବେକାରୀ, ଅନ୍ତରାଷ୍ଟ୍ରୀୟ ନୀତି, ଅପରାଧ ହୋଇଛି ମୁଖ୍ଯ ପ୍ରସଙ୍ଗ । ସେପଟେ ପ୍ରଚାର ମଧ୍ଯରେ ବୋମା ଫୁଟାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଅରୋରାରେ ଆୟୋଜିତ ସଭାରେ ସେ କହିଛନ୍ତି- ଆମେରିକୀୟଙ୍କୁ ହତ୍ଯା କରୁଥିବା ପ୍ରବାସୀ ନାଗରିକଙ୍କୁ ମୃତ୍ଯୁଦଣ୍ଡ ଦେବାକୁ ଦାବି କରିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଆମେରିକାରେ ପ୍ରବାସୀ ବିରୋଧୀ ସ୍ବର ଦୃଢୀଭୂତ ହେଉଥିବାବେଳେ ଟ୍ରମ୍ପଙ୍କ ଆହ୍ବାନ ବିତର୍କର ଝଡ ସୃଷ୍ଟି କରିଛି । ଭେନିଜୁଏଲାର ଗ୍ଯାଙ୍ଗ ଟ୍ରେନ ଡି ଆରାଗୁଆକୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି- ସେ ଯଦି କ୍ଷମତାକୁ ଆସନ୍ତି ତେବେ ଅପରେସ ଅରୋରା ଆରମ୍ଭ କରାଯାଇ ଏହି ଗ୍ଯାଙ୍ଗକୁ ବିନାଶ କରାଯିବ । ଦେଶରେ ବେଆଇନ ଅନୁପ୍ରବେଶ ସମସ୍ଯା ଏବେ ଉତ୍କଟ ହୋଇଛି । ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କୁ ଟକ୍କର ଦେବା ଲାଗି ଟ୍ରମ୍ପ ଖେଳିଛନ୍ତି ପ୍ରବାସୀ କାର୍ଡ । ପୂର୍ବରୁ ଯୌନଗତ କାରଣରୁ ମହିଳା ଓ ଶିଶୁଙ୍କ ବେଆଇନ ଚାଲାଣ କ୍ଷେତ୍ରରେ ଦୋଷୀ ସାବ୍ଯସ୍ତ ଅପରାଧୀଙ୍କୁ ମୃତ୍ଯୁଦଣ୍ଡ ନେଇ ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । ବର୍ତ୍ତମାନ ଆମେରିକାର ଅର୍ଦ୍ଧାଧିକ ପ୍ରଜାତନ୍ତ୍ରରେ ମୃତ୍ଯୁଦଣ୍ଡ ନିଷିଦ୍ଧ ହୋଇଛି ବୋଲି କହିଛି ମୃତ୍ଯୁଦଣ୍ଡ ସୂଚନା କେନ୍ଦ୍ର । ସେପଟେ ଯଦି ମୃତ୍ଯୁଦଣ୍ଡ ବ୍ଯବସ୍ଥା ସାମଗ୍ରିକ ଭାବେ ଲାଗୁ ହୁଏ ତେବେ ଆମେରିକୀୟ କଂଗ୍ରେସରେ ଏହା ଆଇନ ଭାବେ ଗୃହୀତ ହେବାର ଆବଶ୍ଯକତା ରହିଛି ।