ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ଥିଲେ ରତନ ଟାଟା, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

1 min read

ନନ୍ଦିଘୋଷ ବ୍ୟୁରୋ: ଶିଳ୍ପ ଜଗତର ସେ ଥିଲେ ଅମୂଲ୍ୟ ରତ୍ନ। ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ପ୍ରଦାନ କରିଥିଲେ।୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା।

ମୁମ୍ବାଇରେ ପାଠପଢ଼ା ଶେଷ କରିବା ପରେ ସେ ଶିମ୍‌ଲା ଓ ଆମେରିକାର ନ୍ୟୁୟର୍କରେ ପଢ଼ିଥିଲେ। ରତନ ଟାଟା ୧୯୬୨ରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ବିଭିନ୍ନ କମ୍ପାନିରେ କିଛି ଦିନ କାର୍ଯ୍ୟ କରିବା ପରେ ୧୯୭୧ରେ ସେ ନ୍ୟାସନାଲ୍‌ ରେଡିଓ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ କମ୍ପାନିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ୧୯୮୧ରେ ସେ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ହୋଇଥିଲେ। କର୍ଣ୍ଣେଲ୍ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଟାଟା ୧୯୬୨ରେ ଭାରତ ଫେରିବା ପୂର୍ବରୁ କିଛି ଦିନ ପାଇଁ ଆମେରିକାର ଲସ୍‌ ଏଞ୍ଜେ‌ଲ୍‌ସ୍‌ରେ ଜୋନ୍‌ସ ଆଣ୍ଡ୍ ଏମନ୍‌ସ ପାଇଁ କାମ କରିଥିଲେ।

ସେ ୧୯୭୫‌ରେ ହାର୍ଭାର୍ଡ ବିଜିନେସ୍‌ ସ୍କୁଲ୍‌ରେ ମଧ୍ୟ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ।  ରତନ ଟାଟାଙ୍କ କାର୍ଯ୍ୟକାଳରେ ଟାଟା ମୋଟର୍ସ ବିଶ୍ବର ନାମୀ ମୋଟର କମ୍ପାନୀ ଜାଗୁଆର୍ ଓ ଲ୍ୟାଣ୍ଡରୋଭର୍ ସହ କୋରସ୍କୁ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍‌ ସ୍ବପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ ନାନୋ ବଜାରକୁ ଆଣିଥିଲେ ରତନ ଟାଟା। ଯେଉଁ ସମୟରେ ବିଦେଶୀ କାର କମ୍ପାନୀ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ ସେତେବେଳେ ଇଣ୍ଡିକା କାର୍‌ ଆଣି ଚହଳ ପକାଇଥିଲେ। ଟାଟା କାର ବେଶ ସଫଳତା ହାସଲ କରିଥିଲା।

କେବଳ ଭାରତ ନୁହେଁ ସାରା ଜଗତରେ ଥିଲେ ଜଣେ ପରିଚିତ ଶିଳ୍ପପତି। ୧୯୯୧ରୁ ସେ ଟାଟା ଗ୍ରୁପ୍ର ଦାୟିତ୍ଵ ନେଇଥିଲେ। ୨୦୧୨ ଡିସେମ୍ବର ୨୮ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଦାୟିତ୍ବ ସମ୍ପାଦନ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟାର ବ୍ୟବସାୟ ଶିଖର ଛୁଇଁଥିଲା। ରତନ ଟାଟାଙ୍କ ନେତୃତ୍ଵେରେ ୨୦୧୧-୧୨ରେ ଟାଟା ଗ୍ରୁପ୍ ୧୦  ହଜାର  କୋଟି ଡଲାର କମ୍ପାନିରେ ପରିଣତ ହୋଇଥିଲା। ୧୯୯୬ରେ ସେ ଟାଟା ଗ୍ରୁପ୍‌ର ଟେଲିକମ୍ କମ୍ପାନି ଟାଟା ଟେଲି ସର୍ଭିସେସ୍‌ ଓ ୨୦୦୪ରେ ଆଇଟି କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ TCS ସ୍ଥାପନ କରିଥିଲେ।