ଗୁଣି ଗାରେଡି ସନ୍ଦେହ: ହାତରେ ଠେଙ୍ଗା ଧରି ରାତି ଅନିଦ୍ରା ହୋଇ ଗାଁ ଜଗୁଛନ୍ତି ଲୋକେ

1 min read

ପାରାଦୀପ: ଗୁଣିଗାରେଡି ସନ୍ଦେହ । ସାରା ରାତି ଉଜାଗର ରହି ଗାଁ ଜଗୁଛନ୍ତି ଲୋକେ । ନବରାତ୍ର ପୂଜା ଚାଲୁଥିବାରୁ ଏହା ଗୁଣି ଗାରେଡି୍ ନା ଅନ୍ୟ କିଛି ତାକୁ ନେଇ ଆତଙ୍କିତ ଲୋକେ । ରାସ୍ତାରେ ପଡ଼ିଛି କଣ୍ଟା ମରା ହୋଇଥିବା ଲେମ୍ବୁ, ପଣା ଘଡି, ରକ୍ତ ଛିଟା, ସିନ୍ଦୁର, ଫୁଲ ଓ ଜଳୁ ଥିବା ଦୀପ । ରାତି ହେଲେ ଠେଙ୍ଗା ଧରି ଜଗୁଛନ୍ତି ଯୁବକ, ବୃଦ୍ଧ ଓ ସ୍ତ୍ରୀ ଲୋକ । ବିଜ୍ଞାନ ଯୁଗରେ ବି କୁଜଙ୍ଗ ବ୍ଲକ ବଡଙ୍ଗ-ପାରିଅଙ୍ଗ ଗ୍ରାମରେ ଘଟୁଥିବା ଏହି ଘଟଣା ଏବେ ଚର୍ଚ୍ଚାରେ ।

ରାତିରେ ବାହାରୁଛି କିଏ ? ଭୂତପ୍ରେତ ନା ତାନ୍ତ୍ରିକ ? ଅଣ୍ଟା ତଳକୁ ଧଳା ଲୁଗା, ଅଣ୍ଟା ଉପରକୁ ଦେଖାଯାଉନି କିଛି । ପାଖକୁ ଗଲେ ଉଭେଇ ଯାଉଛି, ଗୋଡାଇଲେ କୁଆଡେ ପଳାଉଛି ଜଣାପଡୁନି । ହଠାତ୍ ଲିଭି ଯାଉଛି ରାସ୍ତାର ଲାଇଟ, କିଛି ସମୟରେ ସେହି ରାସ୍ତା ଉପରେ କୋଠି ଅଙ୍କାଯାଇ ନାଲି ଫୁଲ, ପଣା ହାଣ୍ଡି, ରକ୍ତ ଛିଟା, କଣ୍ଟା ମରା ଯାଇଥିବା ଲେମ୍ବୁ ପଡିଥିବା ଦେଖୁଛନ୍ତି ଲୋକେ । ଏହି ଘଟଣାକୁ ନେଇ ଏବେ କୁଜଙ୍ଗ ବ୍ଲକର ବଡଙ୍ଗ-ପାରିଅଙ୍ଗ ଗାଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ । ରାତି ୧୧ ଟାରୁ ରାତି ୩ଟା ଭିତରେ ଘଟୁଛି ଘଟଣା । ଯାହାକୁ ନେଇ ଭୟଭୀତ ଗ୍ରାମବାସୀ ରାତିରେ ଠେଙ୍ଗା ବାଡି ଧରି ପହରା ଦେଉଛନ୍ତି । ବାଡୁଅ ପୁଅ ଓ ଝିଅମାନଙ୍କୁ ବେଳ ବୁଡିବା ଆଗରୁ ଘରେ ପୂରାଇ ରଖୁଥିବା ବେଳେ ଗ୍ରାମର କିଛି ଯୁବତୀଙ୍କୁ ନିଜର ବନ୍ଧୁ ବାନ୍ଧବ ଘରକୁ ପଠାଇ ଦେଇଛନ୍ତି ପରିବାର ଲୋକେ ।

ବଡଙ୍ଗ-ପାରିଅଙ୍ଗ ଗାଁର ଶ୍ମଶାନ, ରାସ୍ତା ଉପରେ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀ ପ୍ରକାଶ କରିଥିବା ବେଳେ ଏବେ ମାଆଙ୍କ ପାର୍ବଣ ପକ୍ଷ ଚାଲିଥିବାରୁ ଏହା କୌଣସି ତାନ୍ତ୍ରିକର ତନ୍ତ୍ର ପରୀକ୍ଷା ବୋଲି ଲୋକେ ବିଶ୍ଵାସ କରୁଛନ୍ତି । ପୂର୍ବରୁ ମଧ୍ଯ ଏଭଳି ଘଟଣା ପାଖ ଗାଁରେ ଘଟିଥିବାରୁ ଲୋକମାନେ ଅଧିକ ଆତଙ୍କିତ ହୋଇ ପଡିଛନ୍ତି । ଏପରିକି ଏବେ ଗାଁର କିଛି ଯୁବତୀଙ୍କୁ ଜ୍ବର ହେଉଥିଲେ ମଧ୍ଯ ଡାକ୍ତରଖାନାରେ ପରୀକ୍ଷାରୁ କିଛି ବାହାରୁ ନଥିବା ଓ ବେଳେ ବେଳେ ସେମାନେ ଅସ୍ବାଭାବିକ ଆଚରଣ sରୁଥିବା ଗ୍ରାମବାସୀ କହିଛନ୍ତି ।

ଆଜିର ବିଜ୍ଞାନ ଯୁଗରେ ଭୂତ, ପ୍ରେତ ଓ ଗୁଣି ଗାରେଡ଼ିକୁ କେହି ବିଶ୍ବାସ କରନ୍ତି ନାହିଁ । କିନ୍ତୁ କୁଜଙ୍ଗ ବ୍ଲକର ବଢଙ୍ଗ-ପାରିଅଙ୍ଗ ଗାଁର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ହେଲେ ଏମିତି ଘଟଣାକୁ ନେଇ ଏପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।