୧୦୮ ଆମ୍ବୁଲାନ୍ସ ଭିତରେ ଡ୍ରାଇଭରଙ୍କର ଚାଲିଛି ଡ୍ରିଙ୍କ୍ସ ପାର୍ଟି
ଟାଙ୍ଗୀ: ରାସ୍ତା ଉପରେ ରଖା ଯାଇଛି ୧୦୮ ଆମ୍ବୁଲାନ୍ସ । ଆଉ ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ବାବୁଙ୍କର ଖୋଲିଛି ମଦର ଆସର । ପଚାରିଲେ ଗାଡ଼ିଚାଳକ କହୁଛନ୍ତି ଏସବୁ ମଦ ନୁହଁ କୋଲ୍ଡ ଡ୍ରିଙ୍କ୍ସ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଏହି ୧୦୮ ଆମ୍ବୁଲାନ୍ସ କୌଣସି କାର୍ଯ୍ୟରେ ନଯାଇ ଗାଡ଼ିକୁ ଗଛ ତଳେ ଲଗାଇଦେଇ ଆରମ୍ଭ କରିଥିଲେ ମଦର ଆସର । ଗାଡ଼ି ଭିତରେ ଡ୍ରାଇଭରଙ୍କ ସମେତ ଆଉ ଦୁଇଜଣ ମିଶି ପିଉଥିଲେ ମଦ । ଏହି ସମୟରେ ଆମର ପ୍ରତିନିଧି ଯାଇ ସେଠାରେ ପହଞ୍ଚିଥିଲେ ।
କାହିଁକି ମଦ ପିଉଛ ବୋଲି ପଚାରିବାରୁ ଡ୍ରାଇଭର ଜଣକ ଏ ମଦ ନୁହେଁ କୋଲ୍ଡ ଡ୍ରିଙ୍କ୍ସ ବୋଲି ଯୁକ୍ତି କରିଥିଲେ । ଆପଣ ମାନଙ୍କୁ ଜଣାଇଦେବକୁ ଚାହୁଁଛୁ ଏହି ଗାଡ଼ିକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବଡ଼ ପୋଖରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁତୟନ କରାଯାଇଛି ।
ଏବେ ଏଠି ପ୍ରଶ୍ନ ଉଠୁଛି, ଏଭଳି ଡ୍ରାଇଭରଙ୍କ ଅବହେଳା ଯୋଗୁଁ ବୋଧେ କେଉଁଠି ପ୍ରସବ ପୀଡ଼ାରେ ମହିଳା ଟିଏ ଡାକ୍ତରଖାନା ଆସିପାରୁନି ତ କେଉଁଠି ରାସ୍ତା ଉପରେ ଶିଶୁକୁ ଜନ୍ମ ହେଉଛି ମହିଳା ।