ଚେନ୍ନାଇ ଏୟାର ସୋରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ଚେନ୍ନାଇ ଏୟାର ସୋରେ ବଡ ଅଘଟଣ। ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଆୟୋଜିତ ଏୟାର ସୋ କାର୍ଯ୍ୟକ୍ରମରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି ୩ ଦର୍ଶକ। ୨୩୦ରୁ ଅଧିକ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାରିନା ବିଚରେ ଭାରତୀୟ ବାୟୁସେନାର ଚମତ୍କାର ପ୍ରଦର୍ଶନକୁ ଅବଲୋକନ କରିବା ଲାଗି ଲକ୍ଷ ଲକ୍ଷ ଦର୍ଶକ ଗୋଟିଏ ସ୍ଥାନରେ ସମବେତ ହୋଇଥିଲେ। ତେବେ ଅଧିକ ଉତ୍ତାପ ଓ ଭିଡ ଯୋଗୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବ୍ଯାପକ ଟ୍ରାଫିକ ସମସ୍ଯା କାରଣରୁ ଲକ୍ଷାଧିକ ଲୋକ ବିଭିନ୍ନ ସ୍ଥାନରେ ଫସିଯାଇଥିଲେ। ଚେନ୍ନାଇର ଅଧିକାଂଶ ସ୍ଥାନରେ ଏହି ସମସ୍ଯା ଦେଖାଦେଇଥିଲା। ଦିନ ୧୧ଟାରୁ ଏୟାର ସୋ ସ୍ଥାନରେ ପ୍ରାୟ ୧୬ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଏପରିକି ଅନେକ ବୟସ୍କ ଲୋକ ବି ଏହି ସୁଯୋଗକୁ ହାତଛଡ଼ା ନ କରିବା ଲାଗି ସେଠାରେ ସମବେତ ହୋଇଥିଲେ। ସ୍ଥାନୀୟ ଇଲାକାରେ ପାନୀୟ ଜଳର ଘୋର ଅଭାବ ଯୋଗୁ ଅନେକ ଲୋକଙ୍କ ଅବସ୍ଥା ସଂଗୀନ ହୋଇପଡିଥିଲା। ଅନେକ ଲୋକ ସ୍ଥିତି ସହି ନପାରି ରୋଡ ଉପରେ ହିଁ ବସିଯାଇଥିଲେ। ଏହି ସୋରେ ୭୨ଟି ବିମାନ ସାମିଲ ହୋଇଥିଲେ। ଭେଲାଚେରୀ ଏମଆରଟିଏସ ରେଳଷ୍ଟେସନରେ ବି ନାହିଁ ନଥିବା ସମସ୍ଯା ସୃଷ୍ଟି ହୋଇଥିଲା।