ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାୟେରୀ ଔଷଧ

ଯାଜପୁର: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର | ଗର୍ଭବତୀ ମହିଳାଙ୍କୁ ଦିଆ ଯାଇଛି ଏକ୍ସପାୟେରୀ ଔଷଧ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏକ୍ସପାୟେରୀ ଔଷଧ ଖାଇବା ପରେ ପେଟରେ ଥିବା ପିଲା ପାଇଁ ଭୟଭୀତ ଅବସ୍ଥାରେ ଅଛନ୍ତି ମହିଳା ଜଣକ  । ଆଶା କର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି ଏହି ସରକାରୀ ଔଷଧ  । ଦୁଇ ମାସ ପୂର୍ଵରୁ ଏହି ଔଷଧ ଗୁଡିକ ଏକ୍ସପାୟେରୀ ହୋଇ ସାରିଛି  । ସ୍ୱାସ୍ଥ୍ୟ ବିଭାଗର ଏଭଳି ଖାମଖିଆଲି ମନୋଭାବକୁ ନେଇ ଉଠିଛି ପ୍ରଶ୍ନ । ଅଭିଯୋଗ ଅନୁଯାୟୀ ଲେଙ୍କାସାହି ଗାଁର କୃଷ୍ଣଚନ୍ଦ୍ର ନାଥଶର୍ମାଙ୍କ ସ୍ତ୍ରୀ ସୁଭଦ୍ରା ନାଥଶର୍ମା ଛଅ ମାସର ଗର୍ଭବତୀ ଥିବା ବେଳେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉ ଥିବା ଔଷଧ ସେବନ କରୁଛନ୍ତି।

ଦୁଇ ମାସ ପୂର୍ବରୁ ଏକ୍ସପାୟେରୀ ହୋଇଯାଇଥିବା ଔଷଧ ଖାଇଦେକୁ ଦେଇଛନ୍ତି ସ୍ଥାନୀୟ ଆଶାକର୍ମୀ  । ଔଷଧ ଗୁଡିକୁ ଖୋଲିବା ପରେ ଔଷଧ ଗୁଡିକ ଫାଟି ଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଖୋଳ ଉପରେ ଲେଖା ଥିବା ତାରିଖ ଦେଖିବା ପରେ ଏକ୍ସପାୟେରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ଆଶା କର୍ମୀରୁ ପଚାରିବାରୁ ସେ ଭୁଲରେ ଏ ଔଷଧ ପ୍ରଦାନ କରିଥିବା କହିଛନ୍ତି | ତେଣୁ ମା ଓ ପିଲା ଉଭୟଙ୍କ ଜୀବନ ପ୍ରତି ବିପଦ ଥିବାରୁ ପାରିବାର ଲୋକେ ଏନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ତେବେ ଏ ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ନାହିଁ  ।