ଫିକା ପଡ଼ିଲା ନୂଆଦିଲ୍ଲୀ ନିବେଶକ ସମ୍ମେଳନ, ପୁଞ୍ଜି ନିବେଶକ ଓ ଶିଳ୍ପ ମୁଖ୍ୟଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ!

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଉତ୍ସାହିତ କରୁଥିଲେ ନବୀନ ପଟ୍ଟନାୟକ। ସ୍ବତନ୍ତ୍ର ଶିଳ୍ପ ନୀତି, ଏକକ ବାତାୟନ, ଭୂ-ବ୍ୟାଙ୍କ ସ୍ଥାପନ ଦ୍ବାରା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ନିବେଶକ। ଏବେ ସେହି ଧାରାକୁ ବଜାର ରଖି ଆସନ୍ତ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ସ୍ବପ୍ନ ଦେଖୁଛନ୍ତି ମୋହନ ସରକାର। ଆସନ୍ତ ଜାନୁଆରୀ ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମେଳନ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଦିଲ୍ଲୀର ନିବେଶକ ସମ୍ମେଳନରେ ଘଟିଥିବା ଘଟଣାକୁ ନେଇ ଏବେ ନିରାଶ ହୋଇଛନ୍ତି ନିବେଶକ।

ଏପରିକି ଓଡ଼ିଶାରେ ନିବେଶ କରିବାକୁ ନିବେଶକ ଚାହୁଁନଥିବା କିଛି ନିବେଶକ ମତ ରଖିଛନ୍ତି। ସମ୍ମେଳନରେ ପୁଞ୍ଜି ନିବେଶକ ଓ ଶିଳ୍ପ ମୁଖ୍ୟଙ୍କୁ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ଜୁଏଲ ଯେପରି ନିଶାନା କଲେ ତାହା ରାଜ୍ୟରେ ନିବେଶ ରାସ୍ତାକୁ ବନ୍ଦ କରିଦେଇଥିବା କୁହାଯାଉଛି। ଜୁଏଲ କହିଥିଲେ ଯେ, ରାଜ୍ୟକୁ ଶିଳ୍ପ ସ୍ଥାପନ ନେଇ ଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ କେବଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ ଓ ବାଭାଗୀୟ ସଚିବଙ୍କୁ ଖାଲି ଭେଟୁଛନ୍ତି। କିନ୍ତୁ ଜନ ପ୍ରତିନିଧିଙ୍କୁ ଭେଟୁ ନାହାନ୍ତି କି ଗୁରୁତ୍ବ ଦେଉନାହାନ୍ତି। କମ୍ପାନୀ ନିଜ ଇଚ୍ଛା ଅନୁସାରେ କାରଖାନା ବସାଇବାକୁ ସ୍ଥାନ ବାଛିବେ ନାହିଁ।

କେଉଁଠି କାରଖାନା ବସାଯିବ, ତାହା ଆମେ କହିବୁ ବୋଲି କହିଥିଲେ ଜୁଏଲ। ଆମର ଟର୍ମ ଆଣ୍ଡ କଣ୍ଡିସନ କମ୍ପାନୀମାନଙ୍କୁ ମାନିବାକୁ ପଡ଼ିବ। ଏହା ନକଲେ ଯେତେ ବୁଝାମଣାପତ୍ର ସ୍ବାକ୍ଷର କଲେ ବି କାରଖାନା ବସିପାରିବ ନାହିଁ। କମ୍ପାନୀ ଗୁଡ଼ିକ ସିଏସଆର ପାଣ୍ଠି କେଉଁଠି ଖର୍ଚ୍ଚ କରିବେ, ସେ ସମ୍ପର୍କରେ ଲୋକ ପ୍ରତିନିଧିଙ୍କୁ ଅବଗତ କରାଇବେ। ଏପରି କହି ଶିଳ୍ପ ସଂସ୍ଥାକୁ ପରୋକ୍ଷରେ ଚେତାଇ ଦେଇଥିଲେ ଜୁଏଲ ଓରାମ। ତେବେ ଜୁଏଲଙ୍କ ଏଭଳି ମନ୍ତବ୍ୟ ପରେ ନିରାଶ ହୋଇଛନ୍ତି ନିବେଶକ। ଏପରି ଅସ୍ଥିର ପରିବେଶରେ ରାଜ୍ୟରେ ନିବେଶ କରିବାକୁ ଅନାଗ୍ରହ ପ୍ରକାଶ କରିଛନ୍ତି ନିବେଶକ।