ରାଜ୍ୟ ସରକାର ମାନିଲେ: ବିପଦରେ ବାଘ ଓ ହାତୀ

ଭୁବନେଶ୍ବର: ବିପଦରେ କଲରାପତରିଆ ବାଘ ଓ ହାତୀ । ଖୋଦ ଏକଥା ସ୍ବୀକାର କରିଛନ୍ତି ରାଜ୍ୟ ସରକାର । ୨୦୧୮ରେ କଲରାପତରିଆ ବାଘଙ୍କ ସଂଖ୍ୟା ଥିଲା ୭୬୦ । ୨୦୨୪ ଗଣନାରେ ଖସି ଆସିଛି ୬୯୬କୁ । ସେହିପରି ଗତ ୫ ବର୍ଷରେ ୫୦୦ରୁ ଅଧିକ ହାତୀଙ୍କ ଜୀବନ ଯାଇଛି । ହାତୀ ମଣିଷ ଲଢେଇରେ ପ୍ରାଣ ହରାଇଲେଣି ୨ ହଜାର ୮୨୯ ଜଣ ଲୋକ । କେବଳ ଗତବର୍ଷ ହାତୀ ଆକ୍ରମଣରେ ଯାଇଛି ୧୬୦ ଜଣଙ୍କ ଜୀବନ। ଏଣିକି ବନାଞ୍ଚଳର କୋର୍ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ । ସେପଟେ ବନ୍ୟଜନ୍ତୁ ଶିକାର ରୋକିବାକୁ ସରକାର କଡ଼ା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ।

କେତେ ବେଳେ ଶିକାରୀ ଗୁଳି ତ କେତେ ବେଳେ ଫାଶ । ଆଉ କେତେ ବେଳେ ବଡ଼ ବନ୍ୟ ଜନ୍ତୁଙ୍କ ଶିକାର । ଦିନକୁ ଦିନ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା । ସ୍ଥିତି ଏମିତି ହେଲାଣି ୨୦୧୮ରେ କଲରାପତରିଆ ବାଘଙ୍କ ସଂଖ୍ୟା ଥିଲା ୭୬୦ । ୬ ବର୍ଷ ପରେ ଏହା କମି ୬୯୬ରେ ପହଞ୍ଚିଛି । ଆଜି ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଖୋଦ ଏହି କଥା ସ୍ବୀକାର କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ବର୍ଷରେ ଆଉ ବଢ଼ିବନି କଲରାପତରିଆ ବାଘଙ୍କ ସଂଖ୍ୟା । ସେପଟେ ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାରୀ ଗୁଳିରେ ଗତ ୫ ବର୍ଷରେ ମଲେଣି ୫୦୦ରୁ ଅଧିକ ହାତୀ ।

ରାଜ୍ୟରେ ଜଙ୍ଗଲ ସଂଖ୍ୟା ବଢୁଛି । ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ରୋକିବାକୁ ଜଙ୍ଗଲର କୋର୍ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ସ୍ଥାନାନ୍ତର କରିବାକୁ ୨୦୨୦ରେ ରାଜ୍ୟ ସରକାର ଯୋଜନା କରିଥିଲେ । ସ୍ଥାନାନ୍ତର ହେଉଥିବା ଲୋକଙ୍କ ଜୀବନ ଜୀବିକା ପାଇଁ ୭୧ଟି ଯୋଜନା ପ୍ରଣୟନ କରାଯାଇଛି । ସେହି ଅନୁସାରେ ଏବେ ସୁଦ୍ଧା ସାତକୋଶିଆ ଅଞ୍ଚଳର ୬ଟି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କ୍ଷତିପୂରଣ ବାବଦରେ ପରିବାରର ପ୍ରତ୍ୟେକ ସାବାଳକଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଘରଡିହ ବାବଦରେ ୧୫ ଲକ୍ଷ ଟଙ୍କା ଦିଆଯାଉଛି । ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇରେ ଜୀବନ ଯାଉଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା କରିବାକୁ ଯୋଜନା ରଖିଛି ବନ ବିଭାଗ । ସେପଟେ ବନ୍ୟଜନ୍ତୁ ଶିକାର ରୋକିବାକୁ ଏଣିକି କଡ଼ା ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ରାଜ୍ୟରେ ବାଘଙ୍କ ସଂଖ୍ୟା କମୁଥିବା ବେଳେ ପ୍ରତିଦିନ ହାତୀ ମରୁଛନ୍ତି । ଆହତ ବନ୍ୟଜନ୍ତୁଙ୍କ ଚିକିତ୍ସା ପାଇଁ ବି ସବୁ ସ୍ଥାନରେ ନାହିଁ ଉନ୍ନତ ଚିକିତ୍ସା ସୁବିଧା । ଏପରି ଜାରି ରହିଲେ, ଓଡ଼ିଶାରେ ଉତ୍ତମ ଜୈବ ବିବିଧତା ଥାଇ ବି ବନ୍ୟଜନ୍ତୁଙ୍କ ସଂରକ୍ଷଣ କେବଳ କାଗଜ କଲମରେ ରହିଯିବ ।