ପରିବା ଦେଖିଲେ ଡର ଲାଗୁଛି, ଦାମ ଶୁଣିଲେ ମୁଣ୍ଡ ବିନ୍ଧୁଛି

ନନ୍ଦିଘୋଷ ବ୍ୟୁରୋ: ଆକାଶ ଛୁଆଁ ହୋଇଛି ପରିବା ଦର । କଞ୍ଚା ପନିପରିବା ସାଙ୍ଗକୁ ରସୁଣ ଓ ପିଆଜ ଦରରେ ଲଗାମ ନାହିଁ । ଗ୍ରାହକଙ୍କ ପକେଟକୁ ବାଧୁଛି ଦର । ଦୁଇ ଦିନ ତଳେ ଖସିଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ବାଇଗଣ ୧୨୦, ଟମାଟୋ ୮୦, ବିନ୍ସ ୮୦ , କ୍ୟାପ୍ସିକମ୍ ୧୦୦ , ପିଆଜ ୬୫ ଥିବାବେଳେ ରସୁଣ ପହଞ୍ଚିଛି ୩୨୦ରେ ।

ଦର କଲାଣି ଦୁର୍ବିସହ । ଆଳୁ ଦାମ ତଳମୁହାଁ ହେଉଥିବା ବେଳେ ପିଆଜ ଦର ଆକାଶ ଛୁଉଁଛି । ବିନା ଛୁଙ୍କରେ ଡାଲି ବନୁଛି । ସନ୍ତୁଳାରେ ପରିବା ନାହିଁ । ଆମିଷ ଠାରୁ ଅଧିକ ପଡୁଛି ନିରାମିଷ ମିଲ୍ । ବଜାର ଗଲେ ପକେଟ୍ ଖାଲି । ଘରେ ବସିଲେ ଉପାସରେ ଶୋଇବାକୁ ପଡୁଛି । ରାଜ୍ୟ ଦରଦାମ ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ଖାଉଟି । କେବେ ଖସିବ, କାହିଁକି ବଢୁଛି ରେଟ୍ । ଗ୍ରାହକଙ୍କ ମନରେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଛି । ବର୍ଷା ଯୋଗୁଁ ପରିବା ନଷ୍ଟ । ରାଜ୍ୟବାସୀଙ୍କ ଚାହିଦା ଅନୁଯାୟୀ ପରିବା ଅମଳ ହେଉନଥିବା କାରଣରୁ ଦର ଉପରେ ଲଗାମ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ।

ଆଜି ବି ବଜାରରେ ଢେର ଅଧିକ ରହିଛି ପରିବା ଦର । ବିଲାତି ଦର କିଲୋପ୍ରତି ୮୦ ଟଙ୍କାରୁ ୯୦ ଟଙ୍କା ଥିବା ବେଳେ ବାଇଗଣ ଦର କିଲୋପ୍ରତି ୧୨୦ଟଙ୍କା, ବିନ୍ସ କିଲୋପ୍ରତି ୮୦ ରୁ ୯୦ଟଙ୍କା, ଭେଣ୍ଡି କିଲୋ ୬୦ ଟଙ୍କା ରହିଛି । ସେହିଭଳି ଜହ୍ନି ୫୦ ଟଙ୍କାରୁ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପସିକମ ୧୦୦ ଟଙ୍କା ରହିଛି । ପୂର୍ବରୁ ବଜାରରେ ସବୁଠୁ କମ ଦାମରେ ବିକ୍ରି ହେଉଥିବା ଅମୃତ ଭଣ୍ଡାର ଦାମ ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଛି । ଏବେ ଅମୃତ ଭଣ୍ଡା ୨୦ ଟଙ୍କାରୁ ୩୦ ଟଙ୍କାରେ ବିକ୍ରି ହେଉଛି ।

ବନ୍ଧା କୋବି ୪୦ ଟଙ୍କା, ଫୁଲକୋବି ଗୋଟା ୬୦ ଟଙ୍କା,  ପୋଟଳ ୫୦ ଟଙ୍କା, ଗାଜର ଓ ବିଟ ଦର ୨୦ ରୁ ୪୦ ଟଙ୍କାରେ ପହଞ୍ଚିଛି । ଯଦିଓ  ଆଳୁ ଦର ସ୍ଵାଭାବିକ ରହିଛି କିନ୍ତୁ ପିଆଜ ଦର ୫୦ ରୁ ୬୫ କୁ ବୃଦ୍ଧି ପାଇଛି।  ସେହିପରି କିଲୋପ୍ରତି ୪୦୦ ରୁ ୩୨୦କୁ ସାମନ୍ୟ ଖସିଛି ରସୁଣ ଦର । ନିୟମିତ ପରିବା ଦର ଅହେତୁକ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା । ଏବେ ୫୦୦ ରୁ ୧୦୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।